ପ୍ରଧାନଶିକ୍ଷକଙ୍କ ଟୋପି ଖୋଲିଦେଲେ, କନଷ୍ଟେବଳଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନବାଚୀ: ଦେଖନ୍ତୁ VIDEO

ଭବାନୀପାଟଣା,୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ଥାନୀୟ କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ନେଇ ଅଭିଯୋଗ ହେବାପରେ ମଙ୍ଗଳବାର ଅପରାହ୍ନରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏପରିକି ସ୍ଥାନୀୟ ଗ୍ରାମବାସୀଙ୍କ ଉତ୍ତ୍ୟକ୍ତ ରୂପ ଦେଖି ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ଏପଟେ ଉପସ୍ଥିତ ଗ୍ରାମବାସୀତ୍‌ମାନେ ମଧ୍ୟ ଆଗ ପଟରୁ ପ୍ରଧାନ ଶିକ୍ଷକ ମେହେରଙ୍କୁ ତାଲା ପକାଇ ଦେଇଥିଲେ। ପରେ ସେଠାରେ ପରିସ୍ଥିତି ଅଣାୟତ ହେବାରୁ ଜୁନାଗଡ଼ ବିଇଓ ତପନ ମାଝୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ସ୍କୁଲର ଭିତରୁ ପ୍ରଧାନ ଶିକ୍ଷକ ମେହେରଙ୍କୁ ପୋଲିସ ଉଦ୍ଧାର କରି ଗାଡ଼ିରେ ବସାଇବାବେଳେ ସ୍ଥାନୀୟ ଲୋକେ ପୋଲିସ ଗାଡିକୁ ଛାଡି ନ ଥିଲେ। ଏହି ସମୟରେ ଗାଡ଼ିରେ ବସିଥିବା ପ୍ରଧାନ ଶିକ୍ଷକ ମେହେରଙ୍କ ଚେହେରା ମୁଣ୍ଡର ଟୋପି ଯୋଗୁ ଦିଶୁ ନ ଥିବାରୁ ଲୋକଙ୍କ କହିବା ପରେ ଗାଡ଼ିରେ ବସିଥିବା କନେଷ୍ଟବଳ ପଦ୍ମଲୋଚନ ସାହୁ ଟୋପି ଖୋଲି ଦେଇଥିଲେ। ସେହିପରି ପୋଲିସ ଗାଡିର ଗୋଟିଏ ଗେଟ ଖୋଲିଦେବା ପରେ ଜଣେ ଯୁବକ ପ୍ରଧାନଶିକ୍ଷକ ମେହେରଙ୍କୁ ଆସି ଚପଲ ମାଳା ମଧ୍ୟ ପିନ୍ଧାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି।

ପ୍ରଧାନଶିକ୍ଷକ ମେହେରଙ୍କ ସୁରକ୍ଷା ଦେବା ପାଇଁ ଯାଇଥିବା ପୋଲିସ ନିଜେ କେମିତି ଲୋକଙ୍କ କଥାରେ ପଡି ସହଯୋଗ କରୁଛି ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡିଛି। ଯଦି ଚପଲ ମାଳା ପିନ୍ଧାଇବା ସ୍ଥାନରେ ଅନ୍ୟ କିଛି ମାରଣାସ୍ତ୍ରରେ ଯୁବକ ଆକ୍ରମଣ କରିଥିଲେ ପରିସ୍ଥିତ କିପରି ହୋଇଥାନ୍ତା ବୋଲି ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନାଗଡ଼ ପୋଲିସର ଏପରି କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇଁ ଧାନ ଶିକ୍ଷକଙ୍କ ଟୋପି ଖୋଲିଥିବା କନେଷ୍ଟବଳ ପଦ୍ମଲୋଚନ ସାହୁଙ୍କୁ ପଚାରିବାରୁ ଅତି ବେଫିକର ଭାବେ ଟୋପି ଖୋଲିଦେଲି ଯେ କଣ ଅସୁବିଧା ହେଲା ବୋଲି କହିଥିଲେ, ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କୁ ପଚାରିବାରୁ କନେଷ୍ଟବଳ ଟୋପି ଖୋଲିବା କଥା ନୁହଁ, ସେ ଆଇନ ବିଷୟରେ ଜାଣିନାହାନ୍ତି ବୋଲି କହିଥିଲେ। କଳାହାଣ୍ଡି ଏସପି ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।