ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍, ଡେ’ ଏହିପରି ଏକାର୍ଥବୋଧକ ଯେତେ ସବୁ ଶବ୍ଦ ରହିଛି ସେ ସବୁର ବ୍ୟବହାର ଶୈଳୀ ସ୍ଥଳ ବିଶେଷରେ ଅଲଗା ଅଲଗା ହୋଇଥିଲେ ବି ସମସ୍ତଙ୍କର ମର୍ମ ଏକ ଏବଂ ତାହା ହେଉଛି ଜୈବିକ ଜନ୍ମଦାତା। କିନ୍ତୁ ସନ୍ତାନଟିକୁ ଯିଏ ଲାଳନପାଳନ କରେ, ଯିଏ ପୋଷ୍ୟ ଭାବରେ ଗ୍ରହଣ କରେ, ଯିଏ ଧର୍ମକୁ ସାକ୍ଷୀ ରଖି ଗ୍ରହଣ କରେ, ଶ୍ୱଶୁର, ସାବତ ବାପା, ଆଇନ ଗତ ବାପା, ଜୀବନ ବଞ୍ଚାଇଥିବା ଲୋକ ଏ ସମସ୍ତଙ୍କୁ ପିତାର ମାନ୍ୟତା ଦିଆ ଯାଇଥାଏ। ଏହା ଛଡ଼ା ପିତାଙ୍କର ପିତାଙ୍କୁ ଜେଜେବାପା (ପିତାମହ), ବଡ଼ ଭାଇଙ୍କୁ ବଡ଼ବାପା, ସାନ ଭାଇଙ୍କୁ ସାନବାପା ଏବଂ ଉଭୟଙ୍କୁ ଖୁଲ୍ୟତାତ କୁହଯାଏ। ଅତଏବ ଉଲ୍ଲିଖିତ ପ୍ରତ୍ୟେକଟି ଶବ୍ଦ ମୁଖ୍ୟତଃ ପାରିବାରିକ ହୋଇଥିଲେ ବି ଏହାର ପରିସର ଏତେ ବ୍ୟାପକ ଯେ ପରିବାର ଭିତରେ ସୀମିତ ନ ହୋଇ ତାହା ଦେଶ କାଳ ପାତ୍ର ଭିତ୍ତିରେ ଏକାଧିକ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ ଯଥା ଜନ୍ମଦାତା, ବ୍ରତୋପନୟନକର୍ତ୍ତା, ବିଦ୍ୟାଦାତା, ଅନ୍ନଦାତା ଭୟତ୍ରାତା ଏମାନେ ସମସ୍ତେ ପିତୃ ପଦବାଚ୍ୟ-ଚାଣକ୍ୟ ନୀତି।
ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ପାଶ୍ଚାତ୍ୟ ସଂସ୍କୃତିରେ ତତ୍ତୁଲ୍ୟ ଚିନ୍ତାଧାରା ଅନୁଭୂତ ହୁଏ। ଇଂଲିଶ ଭାଷାରେ ପିତାର ପ୍ରତିଶବ୍ଦ ‘ଫାଦର’ ଯାହାର ଅଭିଧାନିକ ଅର୍ଥ ‘ପ୍ରୋଜେନିଟର୍ ଅର୍ ଏ ମେଲ୍ ମେମ୍ବର୍ ହୁ କଜେସ ପ୍ରେଗ୍ନାନ୍ସି’। କିନ୍ତୁ ଶବ୍ଦ ପ୍ରକରଣରେ ‘FATHER’ ଶବ୍ଦରେ ବ୍ୟବହୃତ ପ୍ରତିଟି ବର୍ଣ୍ଣ ଗୋଟିଏ ଗୋଟିଏ ସତନ୍ତ୍ର ସଙ୍କେତର ବାର୍ତ୍ତାବହ ବୋଲି କେତେକ ବ୍ୟାଖ୍ୟାକାର ମତ ଦିଅନ୍ତି ଯଥା, ‘ଏଫ’(ଫ୍ରେଣ୍ଡ), ‘ଏ’ (ଆଡଭାଇଜର୍), ‘ଟି’(ଟିଚର୍), ‘ଏଚ’ (ହେଭେନ), ‘ଇ’(ଏକ୍ଜେମ୍ପ୍ଲାରି), ‘ଆର୍’(ରେସ୍କ୍ୟୁଅର୍) ଯାହାର ଅର୍ଥ ଯଥାକ୍ରମେ ବନ୍ଧୁ, ଉପଦେଷ୍ଟା, ଶିକ୍ଷକ, ସ୍ବର୍ଗ ବା ଈଶ୍ୱର, ଦୃଷ୍ଟାନ୍ତମୂଳକ ବା ଆଦର୍ଶ, ରକ୍ଷକ। ଆମ ସଂସ୍କୃତିରେ ପିତାଙ୍କୁ ଠିକ୍ ଏହି ସ୍ଥାନ ଦିଆ ଯାଇଛି ଯଥା ‘ବନ୍ଧୁ’, ‘ଉପଦେଷ୍ଟା ଓ ଶିକ୍ଷକ’, ‘ସ୍ବର୍ଗ ବା ଈଶ୍ୱର’, ‘ଦୃଷ୍ଟାନ୍ତମୂଳକ ବା ଆଦର୍ଶ , ‘ରକ୍ଷକ’। ସର୍ବୋପରି ପୃଥିବୀରେ ଈଶ୍ୱରଙ୍କୁ ତ ବିଶ୍ୱପିତା ବା ଜଗତ ପିତା କୁହାଯାଏ। ଏହା ବ୍ୟତୀତ ସଚରାଚର କୌଣସି ଆବିଷ୍କାରକ, ଉଦ୍ଭାବକ, ପ୍ରତିଷ୍ଠାତା, ନିର୍ମାତା, ମୁକ୍ତିଦାତା ଆଦିଙ୍କୁ ପିତାର ମାନ୍ୟତା ମିଳିଥାଏ ଯେପରି ଜାତିର ଜନକ, ଦେଶର ପିତା, ଆଧୁନିକ ବିଜ୍ଞାନର ଜନ୍ମଦାତା, (ପରାଧୀନତାରୁ) ମୁକ୍ତିଦାତା, କୌଣସି ଏକ ସଂସ୍ଥାର ପ୍ରତିଷ୍ଠାତା-ଜନକ (ଫାଉଣ୍ଡିଂ ଫାଦର୍),‘ଗଡ ଫାଦର୍’, ‘ଫୋଷ୍ଟର୍ ଫାଦର୍’ ଇତ୍ୟାଦି। ସେହିପରି ଧାର୍ମିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ପିତା ଶବ୍ଦର ପ୍ରଚଳନ ବହୁଳ ଭାବରେ ପରିଲକ୍ଷିତ ହୁଏ ଯଥା ପୋପ୍ ଓ ଚର୍ଚ୍ଚର ଚାପେଲଙ୍କୁ ଫାଦର୍, ମଠବାଡିର ମହନ୍ତ, ଆଖଡ଼ାର ଅଧ୍ୟକ୍ଷ, ମନ୍ଦିରର ପୂଜକ, ଯୋଗୀ, ସନ୍ନ୍ୟାସୀ, ବାବାଜି, ପ୍ରବଚକ,ବାବା, ପୁରୋହିତ, ପରିବ୍ରାଜକ ଏ ସମସ୍ତଙ୍କୁ ପିତା କିମ୍ବା ବାବା ସମ୍ବୋଧନ କରାଯାଏ। କୌଣସି ଅଞ୍ଚଳର ତ୍ୟାଗପୂତ ବ୍ୟକ୍ତିତ୍ୱ, ଭାଷାର ଜନ୍ମଦାତା ବା ପ୍ରଚାରକ, ଗଣ ସଂଗ୍ରାମର ଅଗ୍ରଦୂତ ଆଦିଙ୍କୁ ପିତା, ଅଭିଭାବକ, ମୁରବୀ ବୋଲି କୁହାଯାଇଥାଏ ଯେପରି ‘ଫାଦର୍ ଅଫ ଦି ସିଟି’, ‘ଗଡ଼ଜାତର ମୁରବୀ,‘ଭାଷାର ଜନ୍ମଦାତା’, ‘ଓଡ଼ିଆ ନାଟକର ଜନକ’, ଇତ୍ୟାଦି ଇତ୍ୟାଦି।
ଏବେ ବ୍ୟକ୍ତିଗତ ଜୀବନରେ ପିତୃ କିମ୍ବା ତତ୍ତୁଲ୍ୟ ଶବ୍ଦ କିପରି ଅପରିହାର୍ଯ୍ୟ ସେ ବିଷୟରେ ଆଲୋଚନା କରାଯାଉ। ସନ୍ତାନଟିର ମୌଳିକ ପରିଚୟ ତା’ର ପିତା ଏବଂ ପିତାଙ୍କର ସାଙ୍ଗ୍ୟା ସନ୍ତାନଟିର ଉତ୍ତରାଧିକାର। ପିତାଙ୍କ ପରିଚୟ ବିନା ସନ୍ତାନର ସ୍ଥିତି କିପରି ଦୟନୀୟ ମହାବୀର କର୍ଣ୍ଣ ତା’ର ସାକ୍ଷୀ। ଝିଅଟିର ବାପଘର ତା’ର ଗର୍ବ ଓ ଗୌରବର ପ୍ରତୀକ। ସେଥିପାଇଁ କୁହଯାଏ, ‘ପିତୃଦତ୍ତ କନ୍ୟା ଓ ରାଜଦତ୍ତ ବସୁମତୀ (ଭୂମି)କୁ କେହି ଅନ୍ୟଥା କରି ପାରେନାହିଁ ’। ଆମ ସମାଜରେ ବାପା ଶବ୍ଦକୁ ଆଧାର କରି ଅନେକ ଲଘୁ ତଥା କଟୁ ମନ୍ତବ୍ୟ ଯୁଗ ଯୁଗରୁ ଗଡି ଆସିଛି, ଯାହାର କେତୋଟି ଦୃଷ୍ଟାନ୍ତ ହେଲା, ବାପ ଅଜା ଅମଳରୁ, ବାପ ଅଜା ଚଉଦ ପୁରୁଷ, ତୋ ବାପା ଅଜା କ’ଣ ଥାତି ରଖିଛନ୍ତି, ବାପ ଅଜା ଅମଳର ସାଲିଆନା କିମ୍ବା ଖାନଦାନୀ, ତୋ ବୋପାର କ’ଣ ଗଲା, କୋଉ ବାପ ଆସି ପିଠିରେ ପଡିବ, ମୋ ବାପା କିଏ ଜାଣିଛୁ ଟି, ବାପର ପୁଅ ତ କରି ଦେଖା ଇତ୍ୟାଦି ଇତ୍ୟାଦି। ବିଶ୍ୱରେ ପିତାଙ୍କ ବିଷୟରେ ସଂଖ୍ୟାତୀତ କାହାଣୀ ରହିଛି। ପ୍ରାଚୀନ ଓଡ଼ିଆ ଗଳ୍ପ ସାହିତ୍ୟରେ ଚାଟଶାଳୀରେ ପଢୁଥିବା ପିତୃପରିଚୟହୀନ ଶିଶୁର ମନସ୍ତତ୍ତ୍ୱ ଉପରେ ଆଧାରିତ ସେହିଭଳି ଏକ ଲୋକପ୍ରିୟ ବଚନିକା ହେଲା, ”ଅଣ ବାପୁଆର ଖଡି ଗଡ଼ିଗଲା କିଏ ଆଣି ଦେବ “।
ଏହିପରି ଭାବରେ ବିଶ୍ୱରେ ପିତୃ ବା ତତ୍ତୁଲ୍ୟ ଶବ୍ଦ ଯୁଗ ଯୁଗ ଧରି କେବଳ ମର୍ଯ୍ୟାଦାର ନିଦର୍ଶନ ହୋଇ ରହିନାହିଁ ବରଂ ଅପରିହାର୍ଯ୍ୟତାର ସଙ୍କେତ ହୋଇ ରହି ଯାଇଅଛି। କିନ୍ତୁ ପରିତାପର ବିଷୟ ଏବେ ସମାଜରେ ପିତାଙ୍କୁ ଗୌଣ କରି ଦିଆଯାଉଛି ଏବଂ ସ୍ଥଳ ବିଶେଷରେ ଅଣଦେଖା, ଅବହେଳା ଓ ଅତ୍ୟାଚାର କରାଯାଉଛି। ସମସ୍ତେ ଦିନେ ନା ଦିନେ ପିତା ହୁଅନ୍ତି। ସନ୍ତାନଟିଏ ନିଜ ପିତାଙ୍କୁ ଯେଉଁଭଳି ସମ୍ମାନ ଦିଏ ସେହିଭଳି ସମ୍ମାନ ତା’ର ସନ୍ତାନ ଦିନେ ତାକୁ ଦିଏ। ଏତିକି ବୁଝି ପାରିଲେ ଆଜିକାଲି ସମାଜରେ ଘଟୁଥିବା ଅନେକ ଅଘଟଣ ଏଡ଼େଇ ହୁଅନ୍ତା।
ମୋ: ୯୪୩୮୬୭୩୮୯୮