ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ ସର୍ତ୍ତ ରାଜନୈତିକ ଦଳର ମେମ୍ବରମାନଙ୍କ ପ୍ରତି ଲାଗୁ ହେଉନାହିଁ ବୋଲି ଦେଶରେ ଭ୍ରଷ୍ଟାଚାର ବଢୁଛି। ସେମାନେ ସରକାର ବନେଇବା ଠିକା ନେଇଛନ୍ତି ବୋଲି ଫରାସୀ ଦାର୍ଶନିକ ଜାଁ ଜାକ୍ ଋଷୋ ତାଙ୍କ ‘ସୋସିଆଲ୍ କଣ୍ଟ୍ରାକ୍ଟ’ (୧୭୬୨) ବହିରେ ବୁଝାଇଛନ୍ତି: ମଣିଷ ଆଜନ୍ମ ମୁକ୍ତ ବା ସ୍ବାଧୀନ। ନିଜର ଭଲ ପାଇଁ, ପରସ୍ପରର ସୁରକ୍ଷା ପାଇଁ ଓ ସମସ୍ତଙ୍କ ମଙ୍ଗଳ ପାଇଁ ମଣିଷ ତା’ର ମୁକ୍ତ ଜୀବନକୁ, ତା’ର ପ୍ରାକୃତିକ ସ୍ବାଧୀନତାକୁ ସର୍ବସାଧାରଣ-ଇଚ୍ଛା ଉପରେ ଛାଡିଦେଇଛି, ଏହି ଇଚ୍ଛାର ପରିପ୍ରକାଶ ହେଉଛି ରାଷ୍ଟ୍ର। ରାଷ୍ଟ୍ରର ବୈଧ କ୍ଷମତା ସମସ୍ତ ନାଗରିକଙ୍କ ଦ୍ୱାରା ସମ୍ମତ ଏକ ଚୁକ୍ତିନାମା (କଣ୍ଟ୍ରାକ୍ଟ) ଉପରେ ଆଧାରିତ। ମଣିଷ ତା’ର ବାସସ୍ଥାନ ଭିତରେ ପ୍ରତିନିଧି ପଠାଇ ରାଷ୍ଟ୍ରକୁ ଚଳାଇବାର ସରକାର ଗଢେ। ତେଣୁ ସରକାର ଏକ ସାମାଜିକ ଠିକା (ସୋସିଆଲ୍ କଣ୍ଟ୍ରାକ୍ଟ)। ପ୍ରତିନିଧିମାନେ ଏ ଠିକାକୁ ଠିକ୍ ବାଟରେ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ଜାଣିବାକୁ ମଝିରେ ମଝିରେ ସେମାନଙ୍କ ଉପରେ ଲୋକଙ୍କର ଆସ୍ଥା ଅଛି କି ନାହିଁ ଜାଣିବାକୁ ପଡିବ। ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସାନି ଲୋକ-ମତ ଜାଣିବାକୁ ପ୍ରତିନିଧିମାନଙ୍କୁ ଏକ ନିର୍ବାଚନର ସମ୍ମୁଖୀନ ହେବାକୁ ପଡିବ। ତେଣୁ ଗଣତନ୍ତ୍ରର ମୂଳଦୁଆ ହେଉଛି ନିର୍ବାଚନ: ନିର୍ବାଚନ ଜରିଆରେ ନାଗରିକମାନେ ମତ ପ୍ରକାଶ କରନ୍ତି ଯେଉଁମାନେ ଶାସନ ଭାର ସମ୍ଭାଳିବାର ଠିକା ନେଇଥିଲେ ସେମାନେ ରହିବେ ନା ନୂଆ ପ୍ରତିନିଧି ପଶିବେ। ଭୋଟ ଜରିଆରେ ତାହା ନିଶ୍ଚିତ କର।
ଋଷୋଙ୍କ ରଚନା କହେ, ଲୋକେ ନିଜର ମଙ୍ଗଳ ପାଇଁ ସରକାର ଚଳାଇବାର ଠିକା ସେମାନଙ୍କ ପ୍ରତିନିଧିମାନଙ୍କୁ ଦେଇଛନ୍ତି। ଏ ହେଉଛି ଗଣତନ୍ତ୍ରର ମୂଳକଥା। ସରକାର ଗଢିଥିବା ଆମ ପ୍ରତିନିଧିମାନେ ସରକାର କିପରି ଚାଲିବ ତାହାର ନିୟମ କରନ୍ତି। ସବୁ ନିୟମର ମୂଳ ବା ଆଧାର ହେଉଛି ସମ୍ବିଧାନ, ତା ଅନୁସରଣରେ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଆଇନ ବା ସ୍ବତନ୍ତ୍ର ନିୟମ ତିଆରି କରନ୍ତି ଏବଂ ସେଗୁଡିକର ଯଥାଯଥ ସମ୍ପାଦନ ପାଇଁ ଅନୁଷ୍ଠାନ ତିଆରି କରନ୍ତି ଏବଂ କର୍ମଚାରୀ ନିଯୁକ୍ତ କରନ୍ତି। ଆମ ସମ୍ବିଧାନରେ ପୂରାପୂରି ଅଧ୍ୟାୟଟିଏ ଅଛି କେମିତି କର୍ମଚାରୀ ବଛା ହେବେ ଓ ରହିବେ: ‘ଭାଗ ୧୪, ଧାରା ୩୦୮ରୁ ୩୨୩’- ‘କେନ୍ଦ୍ର ସରକାର ଓ ରାଜ୍ୟ ସରକାରରେ ସେବା’ ପାଇଁ ନିଯୁକ୍ତି ସମ୍ପର୍କରେ। କର୍ମଚାରୀ ନିଯୁକ୍ତି ପାଇଁ ଲୋକପ୍ରତିନିଧିମାନେ ଆଇନ ପ୍ରଣୟନ କରିବେ।
ସବୁ ନିଯୁକ୍ତି ଆରମ୍ଭରେ ଚୁକ୍ତିଭିତ୍ତିକ, ସର୍ତ୍ତ ପୂରଣ ହୋଇଗଲେ ବୈଧାନିକ ନିଯୁକ୍ତିଗୁଡିକ ସ୍ଥାୟୀ ନିଯୁକ୍ତିରେ ପରିଣତ ହୁଏ। ଆଇଏଏସ୍, ଆଇପିଏସ୍ ଭଳି ସାମ୍ବିଧାନିକ ଚାକିରିର ଆରମ୍ଭ ହୁଏ ଏକ ଚୁକ୍ତିମୂଳକ ପତ୍ରରୁ, ତାହା କୌଣସି ଗୁଣରେ ଠିକା-ଚାକିରିରୁ କମ୍ ନୁହେଁ: ସର୍ତ୍ତରେ ରାଜି ନ ହେଲେ ନିଯୁକ୍ତି ମିଳିବ ନାହିଁ ।
ଯଦି ରାଜି ହେଲେ ପ୍ରଥମେ ପରୀକ୍ଷାମୂଳକ ଚାକିରି (ପ୍ରୋବେଶନ୍) ମିଳିବ, ଭଲ ଫଳ ଦେଖାଇଲେ ସ୍ଥାୟୀ ନିଯୁକ୍ତି ମିଳିବ। ତା’ପରେ ମଧ୍ୟ ଆଚରଣ ବିଧି ଓ ଅନ୍ୟ ସର୍ତ୍ତାବଳୀ ନ ମାନିଲେ ଚାକିରି ଗଲା। ଋଷୋଙ୍କ ଭାଷାରେ ଠିକା(ସର୍ତ୍ତ)ରେ ଗଢାହୋଇଥିବା ସରକାର ମନଇଚ୍ଛା ଠିକା ନିଯୁକ୍ତି ଦେଉଛନ୍ତି, ଦିନ ମଜୁରିଆ ଭଳି – ପୁଣି ଆଉ ଗୋଟିଏ ମଧ୍ୟସ୍ଥ ରଖିଛନ୍ତି – ଠିକାଦାର ବା କଣ୍ଟ୍ରାକ୍ଟର, ଯିଏ ପ୍ରାର୍ଥୀ ବାଛିବ ତା ମନମୁତାବକ, ଅର୍ଥାତ୍ ବିଧାୟକଙ୍କ ମନଲାଖି ବା ନିୟନ୍ତ୍ରଣକାରୀ ଅଫିସରଙ୍କ ଜରିଆରେ ବିଧାୟକଙ୍କ ମନଲାଖି ହୋଇଥିବ। ସିଏ ଦାଦନ କର୍ମଚାରୀଠାରୁ କେଉଁ ଗୁଣରେ ଭଲ ବ୍ୟବହାର ପାଏ? ସରକାରୀ ନିଯୁକ୍ତିରେ ମନଇଚ୍ଛା ଠିକା କର୍ମୀ ବା ଶ୍ରମିକ ରଖିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବାରମ୍ବାର କହିଆସୁଛନ୍ତି, କିନ୍ତୁ ତାଙ୍କ ରାୟକୁ ଭ୍ରୂକ୍ଷେପ କରୁନାହାନ୍ତି ନାଗରିକମାନଙ୍କଠାରୁ ୫ ବର୍ଷର ଠିକା ପାଇଥିବା ବିଧାୟକ ଓ ସାଂସଦମାନେ। ସମ୍ବିଧାନରେ ଧାରା ୩୦୯ରେ ଥିବା ସୁରକ୍ଷା ଠିକା କର୍ମଚାରୀଙ୍କ ପାଇଁ ନାହିଁ। ପୁଣି ଠିକାରେ ଗୁଡାଏ ଲୋକ ରଖିଲେ ଜଣେ ଠିକାଦାର ଦରକାର, ସିଏ ସତେ ଯେପରି ଗୋଟିଏ ଗୋଟିଏ ପବ୍ଲିକ୍ ସର୍ଭିସ୍ କମିଶନ୍। ‘ଠିକା କର୍ମଚାରୀ’ ଆଉ ‘ଠିକାଦାର ମାଧ୍ୟମରେ କର୍ମଚାରୀ’ ଭିତରେ ବହୁତ ପ୍ରଭେଦ, ପ୍ରଥମଟିରେ ନିୟମାବଳୀ ଅନୁଯାୟୀ ଯୁକ୍ତିଦାତା ବାଛିବ, ଦ୍ୱିତୀୟଟିରେ ଠିକାଦାର ଯାହାଙ୍କୁ ବାଛିଥିବ ତାହାକୁ ବା ସେହିମାନଙ୍କ ଭିତରୁ ଜଣକୁ ନିଯୁକ୍ତିଦାତା ନିଯୁକ୍ତ କରିବ। ତେଣୁ ନିଯୁକ୍ତିଦାତା ଯାହାକୁ ନେବ ବୋଲି ଇଙ୍ଗିତ କରିଥିବ ତାହାରି ନାଁ ହିଁ ଠିକାଦାର ପଠାଇବ। ତେଣୁ ଠିକାଦାର ଜରିଆରେ କର୍ମୀ ଆଣିବା ଏକ ଭ୍ରଷ୍ଟାଚାର। ଯୁଦ୍ଧ କାମ ଭଳି ସାମୟିକ ବା ମୃତ୍ୟୁମୁଖୀୟ ବିପଦ ଥିବା କର୍ମଚାରୀ ନିଯୁକ୍ତିରେ ଠିକାଦାର ପ୍ରଥା ଆମେରିକା ଓ ରୁଷିଆ ଗ୍ରହଣ କରିଛନ୍ତି, କାରଣ ଇଚ୍ଛୁକ ନାଗରିକ ମିଳୁନାହାନ୍ତି। ଠିକା କର୍ମଚାରୀ ରଖିବା କ’ଣ ଯୁଦ୍ଧ କ୍ଷେତ୍ରକୁ ଠେଲିଦେବା ଭଳି ବ୍ୟବସ୍ଥା। ଠିକାରେ ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ଓ ମୂଲ୍ୟାୟନ କରିବା କିଭଳି ଭ୍ରଷ୍ଟାଚାର ସୃଷ୍ଟି କରୁଛି ତାହା ସମସ୍ତେ ଜାଣିଛନ୍ତି- ଏଥିରେ ରାଜନୀତିକ ଓ ଆର୍ଥିକ ଫାଇଦା ଶାସକଦଳ ମାରିନିଏ। ଅତି ଦରକାରୀ, ଅଳ୍ପ ସମୟ ପାଇଁ ବା ଏମିତି ଗୋଟିଏ କାମ ଯାହାର ପୁନରାବୃତ୍ତି ହେବ ନାହିଁ ସେପରି କାମ ବା ସେବା ପାଇଁ ଠିକା କାମ ଦିଆଯାଇପାରେ। କାରଣ ସବୁ ଆଇନ ମାନି ନିଯୁକ୍ତି କଲା ବେଳକୁ ସେ କାମର ଆବଶ୍ୟକତା ସରିଯାଇପାରେ। ନିଯୁକ୍ତି କ୍ଷେତ୍ରରେ ବାଛବିଚାର ରହିବ ନାହିଁ ବୋଲି ସମ୍ବିଧାନର ଧାରା ୧୪ ଓ ୧୬ କହୁଛି। ପୁଣି ଧାରା ୩୦୯ ସରକାରକୁ କ୍ଷମତା ଦେଇଛି ନିଯୁକ୍ତି ଲାଗି ରୁଲ୍ସ (ନିୟମାବଳୀ) ତିଆରି କରିପାରିବେ। ତା’ମାନେ ନୁହେଁ ଯେ ସ୍ଥାୟୀ ଓ ଆବଶ୍ୟକ ପଦ ପାଇଁ ଲୋକଙ୍କୁ ଠିକାରେ ରଖିବ ଆଉ ବହୁ ଦିନ ଧରି ଠିକାରେ ରହି ସେମାନଙ୍କ କାମକୁ ନିୟମିତ ଓ ସବୁଦିନିଆ ପ୍ରମାଣିତ କରୁଥିବା କର୍ମଚାରୀଙ୍କୁ ପୋଲିସ(ଯେଉଁମାନଙ୍କ ଭିତରେ ବି ଠିକା କର୍ମଚାରୀ ଥିବେ) ଲଗାଇ ଲାଠିମାଡ ଦେବ!
ରାଜନୈତିକ ଦଳର ସ୍ବାର୍ଥରେ ଦଳର ବିଧାୟକମାନେ କାର୍ଯ୍ୟପାଳିକା (ଏଗ୍ଜିକ୍ୟୁଟିଭ୍) ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ଚାହାନ୍ତି। ଏହାର ଗୋଟିଏ ଦିଗ ହୋଇପଡିଛି ନିଜେ ପଦାଧିକାରୀ ହେବା ଏବଂ କିଛି ଅନୁଗତଙ୍କୁ ସରକାରୀ ଚାକିରି ଯୋଗାଇବା -ସମ୍ବିଧାନରେ ପ୍ରାବଧାନ ଅଛି ଯେ କର୍ମଚାରୀ ନିଯୁକ୍ତିର ଆଇନ ତିଆରି କରିହେବ। ସେମାନେ ଔଚିତ୍ୟ ଓ ନୈତିକତା ଭୁଲି ସରକାରୀ ଅଧିକାରୀ ହେବାକୁ ଚାହାନ୍ତି। ସମ୍ବିଧାନରେ ଅଛି ଯେ ସରକାରୀ ଚାକିରି (ଅଫିସ୍ ଅଫ୍ ପ୍ରଫିଟ୍)ରେ ଥିଲେ କୌଣସି ବ୍ୟକ୍ତି ଜନପ୍ରତିନିଧି ହୋଇପାରିବ ନାହିଁ, ନିର୍ବାଚିତ ହୋଇଥିଲେ ବି ଏମ୍ଏଲ୍ଏ କି ଏମ୍ପି ହୋଇପାରିବେ ନାହିଁ। ଆମ ବିଧାୟକମାନେ ତାହା ମାନିବାକୁ ରାଜିନୁହନ୍ତି- ସେମାନେ ନିଜେ ଥିବା ଅଫିସ୍ ଅଫ୍ ପ୍ରଫିଟକୁ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ ବୋଲି ଆଇନ କରିନେଉଛନ୍ତି: ଭାଷାର ଅଭିଧାନ ଭୁଲିଯାଉଛନ୍ତି। ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷ ହୋଇ ଦରମା ଓ ଭତ୍ତା ତ ପାଉଛନ୍ତି, ଆଉ ଠିକା କର୍ମଚାରୀ ନିଯୁକ୍ତ କରିବାର କ୍ଷମତା ପାଉଛନ୍ତି। ଆଉ ଆଭିଧାନିକ ଅପଭ୍ରଂଶ ହେଉଛି ପେନସନ୍ ଶବ୍ଦର ବହୁବଚନ: ଯେତେଥର ଏମ୍ଏଲ୍ଏ ବା ସାଂସଦ ହେବେ ସେତେଥର ଅଧିକା ପେନ୍ସନ ପାଇବେ ବୋଲି ସେମାନେ ହିଁ ନିୟମ କରିନେଇଛନ୍ତି। ଅଫିସ୍ (ସଭାଗୃହ) ନ ଯାଇ ମଧ୍ୟ ଦରମା ନେବେ। ସଭାଗୃହକୁ ଯାଇ ଚୌକି ବେଞ୍ଚ ଫୋପଡାଫୋପଡି କରି ବି ସେ ଦିନର ଦରମା ସାଙ୍ଗକୁ ସେ ଦିନର ଭତ୍ତା ପାଇବେ। କାହିଁ ପିଅନ ଜମାଦାର ହେଲେ ପିଅନର ପେନ୍ସନ ସାଙ୍ଗକୁ ଜମାଦାରର ପେନ୍ସନ ପାଉନାହିଁ ତ। ଅଧ୍ୟାପକରୁ କୁଳପତି ହେଲେ ଅଧ୍ୟାପକର ପେନ୍ସନ ସାଙ୍ଗକୁ କୁଳପତିର ପେନ୍ସନ ମିଳୁନାହିଁ ତ। ଏମ୍ଏଲ୍ଏ, ଏମ୍ପି ହେଲେ ଦୁଇଟା ଯାକର ପେନ୍ସନ ପାଉଛି। ସରକାରୀ କର୍ମଚାରୀମାନେ ମାସିକ ଦରମାରୁ କମ୍ ପେନସନ ପାଉଥିବା ବେଳେ ୧୦ ଥର ହୋଇଥିବା ଲୋକପ୍ରତିନିଧି ମୂଳ ଦରମାର ଛ ସାତ ଗୁଣ ପେନ୍ସନ ପାଇବାରେ ଟିକିଏ ହେଲେ ଦ୍ୱିଧା କରୁନାହାନ୍ତି।
ଏଭଳି ସ୍ଥଳେ କହିବା କି ରାଜନେତାମାନେ ପଇସା ମାରିବାର ଠିକା ନେଇଛନ୍ତି!
-sahadevas@yahoo.com
ସହଦେବ ସାହୁ