ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ ଆର୍ଥତ୍କ ପ୍ରତିଷ୍ଠାନ ସମେତ ବହୁ ଦେଶ ଗତବର୍ଷ ସହମତ ହୋଇଥିଲେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ। ଧନୀ-ଦରିଦ୍ର ବ୍ୟବଧାନ କମାଇବା ଏବଂ ୨୦୩୦ ସୁଦ୍ଧା ଜାତିସଂଘର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଗତବର୍ଷ ଜୁନ୍‌ରେ ସ୍ପେନ୍‌ର ସେଭିଲ୍‌ଠାରେ ଏକ କାର୍ଯ୍ୟଯୋଜନା ଗୃହୀତ ହୋଇଥିଲା।
ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ବୈଠକ ଓ୍ବାଶିଂଟନଠାରେ ଆସନ୍ତା ସପ୍ତାହରେ ହେବାକୁ ଥିବାବେଳେ ଏହା ପୂର୍ବରୁ ଜାତିସଂଘ ରିପୋର୍ଟ ପ୍ରକାଶ ପାଇଛି। ଆଇଏମ୍‌ଏଫ୍‌ ବୈଶ୍ୱିକ ଅଭିବୃଦ୍ଧି ବଢ଼ାଇବା ଦିଗରେ ପ୍ରସ୍ତୁତ ରହିଛି ବୋଲି ଗତବର୍ଷ ଏହାର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜିଓର୍ଜିଏଭା କହିଥିଲେ। ତେବେ ସମ୍ପ୍ରତି ଇରାନ ଯୁଦ୍ଧ ବିଶ୍ୱ ଅର୍ଥନୀତି ଦୃଷ୍ଟିକୋଣକୁ ଅନ୍ଧକାର କରିଦେଇଛି। ଜାତିସଂଘର ଅର୍ଥନୀତି ଓ ସାମାଜିକ ବ୍ୟାପାର ଉପମହାସଚିବ ଲି ଜୁନହୁଆ କହିଛନ୍ତି, ବିକାଶଶୀଳ ଦେଶଗୁଡ଼ିକ ପୁଞ୍ଜି ଆକର୍ଷଣ ପାଇଁ ସଂଘର୍ଷ କରୁଥିବାବେଳେ ଭୂରାଜନୈତିକ ଉତ୍ତେଜନା ଏହାକୁ ଜଟିଳ କରିଦେଇଛି। ଅନ୍ତର୍ଜାତୀୟ ସହଯୋଗ ପାଇଁ ଏହା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ସମୟ, କାରଣ ଭୂରାଜନୈତିକ ବିଚାରଧାରାଗୁଡ଼ିକ ଦିନକୁ ଦିନ ଅର୍ଥନୈତିକ ସମ୍ପର୍କ ଏବଂ ଆର୍ଥତ୍କ ନୀତିକୁ ପ୍ରଭାବିତ କରୁଥିବା ସେ କହିଛନ୍ତି। ବଢ଼ୁଥିବା ବାଣିଜ୍ୟ ପ୍ରତିବନ୍ଧକ ଏବଂ ବାରମ୍ବାର ଜଳବାୟୁ ପରିବର୍ତ୍ତନଜନିତ ଝଟକାକୁ ଧନୀ-ଦରିଦ୍ର ତାରତମ୍ୟ ବଢ଼ିବାର ଅନ୍ୟତମ କାରଣ ବୋଲି ରିପୋର୍ଟରେ କୁହାଯାଇଛି।
ସେଭିଲେ ସମ୍ମିଳନୀରେ ଆମେରିକା ବ୍ୟତୀତ ଅଧିକାଂଶ ଦେଶର ନେତା ସେଭିଲେ ପ୍ରତିଶ୍ରୁତିକୁ ସର୍ବସମ୍ମତକ୍ରମେ ଗ୍ରହଣ କରିଥିଲେ, ଯେଉଁଥିରେ ବିକାଶ ପାଇଁ ବାର୍ଷିକ ୪ ଟ୍ରିଲିୟନ ଡଲାର ଅର୍ଥନୈତିକ ବ୍ୟବଧାନକୁ ପୂରଣ କରିବା ଲକ୍ଷ୍ୟ ରଖାଯାଇଥିଲା। ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ନିବେଶ ବଢ଼ାଇବା ଏବଂ ବିଶ୍ୱବ୍ୟାଙ୍କ ଏବଂ ଆଇଏମ୍‌ଏଫ୍‌ ଭଳି ଅନ୍ତର୍ଜାତୀୟ ଆର୍ଥତ୍କ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ପାଇଁ ଆହ୍ବାନ ଦିଆଯାଇଥିଲା। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ମଧ୍ୟ ୨ ଆର୍ଥତ୍କ ପ୍ରତିଷ୍ଠାନରେ ବଡ଼ ଧରଣର ପରିବର୍ତ୍ତନ ପାଇଁ ବାରମ୍ବାର କହିଆସୁଛନ୍ତି। ଆଇଏମ୍‌ଏଫ୍‌ ଗରିବ ଦେଶ ବଦଳରେ ଧନୀ ଦେଶକୁ ଅଧିକ ଲାଭବାନ୍‌ କରାଉଥିବାବେଳେ ବିଶ୍ୱବ୍ୟାଙ୍କ ଏହାର ମିଶନରେ ବିଫଳ ହୋଇଥିବା ଗୁଟେରେସ୍‌ କହିଛନ୍ତି।

 

Dharitri – Odisha’s No.1 Odia Daily