ଗଞ୍ଜାମ,୨୫ା୧୧(ବିଦ୍ୟାଧର ସାହୁ): ମଙ୍ଗଳବାର ଜିଲାପାଳ ଭି. କୀର୍ତ୍ତି ଭାସନ ଅଚାନକ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନିର୍ମାଣ କାର୍ଯ୍ୟ ଚାଲିଥିବା ନୂତନ କୋଠା ବୁଲି ଅନୁଧ୍ୟାନ କରିଥିଲେ। ବିଡିଓ ଅଚ୍ୟୁତାନନ୍ଦ ଯାନୀ, ଇଓ ଅପର୍ଣ୍ଣା ଡାଙ୍ଗୁଆ, ଆୟୁଷ ଡାକ୍ତର ବନଜ କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ମେଡିକାଲ ପରିସରରେ ଅର୍ଦ୍ଧ ନିର୍ମିତ କୋଠା ନିର୍ମାଣ କାର୍ଯ୍ୟ କେମିତି ଚାଲିଛି ପଚାରି ବୁଝିଥିଲେ ଜିଲାପାଳ। ସେଠାରୁ ହଠାତ୍ ଓ୍ବାର୍ଡ ନଂ ୭ ସାନ ବଜାର କୈବର୍ତ୍ତ ସାହିରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ଶିଶୁମାନଙ୍କ ବୟସ ଅନୁସାରେ ଉଚ୍ଚତା ଓ ଓଜନ ମାପ କରିଥିଲେ ଜିଲାପାଳ। ଏଥିସହ ଖାଦ୍ୟ ପୋଷଣ ସହ ରୋଷେଇ ଗୃହକୁ ଯାଇ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ପରଖିଥିଲେ ଜିଲାପାଳ। ଅଙ୍ଗନଓ୍ବାଡ଼ି କର୍ମୀ ଝୁନୁ ରାଣୀ ବେହେରା, ଆଶା ଦିଦି ସୂତାପା କୁମାରୀ ବେହେରା ଏବଂ ଏଏନ୍ଏମ୍ ବୀଣାପାଣି ନରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜିଲାପାଳଙ୍କ କାର୍ଯାଳୟରେ କାର୍ଯ୍ୟରତ ଦିବାକର ଗୌଡ଼ଙ୍କ ଅକାଳ ବିୟୋଗ ଖବର ପାଇ ଗୌଡ଼ ସାହିରେ ସ୍ବର୍ଗତ ଦିବାକରଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିଥିଲେ ଜିଲାପାଳ l ଏଡିଏମ ପ୍ରମୋଦ କୁମାର ପୃଷ୍ଟି, ଦିଗପହଣ୍ଡି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସମେତ କଲେକ୍ଟର ଅଫିସର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ପ୍ରକାଶ ଯୋଗ୍ୟ, ସ୍ବର୍ଗତ ଦିବାକର ଚାକିରିରୁ ଅବସର ନେଇଥିଲେ ମଧ୍ୟ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସ୍ବର୍ଗତ ଦିବାକର ଜଣେ ସଚ୍ଚୋଟ ଓ ନିଷ୍ଠାପର ବ୍ୟକ୍ତି ଥିଲେ ବୋଲି ଜିଲାପାଳ ଭାସନ ନିଜ ପ୍ରତିକ୍ରିୟାରେ କହିଛନ୍ତି।