ଲଣ୍ଡନ ଯିବାର ଥିଲା ବିମାନ, ହୋଇଗଲା ୭ ଘଣ୍ଟା ବିଳମ୍ବ, ଆଉ ତା’ ପରେ…

ମୁମ୍ବାଇ,୮ା୧୧:  ଶନିବାର ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏୟାର ଇଣ୍ଡିଆର ମୁମ୍ବାଇ-ଲଣ୍ଡନ ବିମାନ AI-୧୨୯ ପ୍ରାୟ ୭ ଘଣ୍ଟା ବିଳମ୍ବ ହୋଇଥିଲା। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୬.୩୦ର ଉଡ଼ାଣ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ଅପରାହ୍ନ ୧ଟାରେ ଉଡ଼ାଣ କରିଛି।

ଯାତ୍ରୀମାନେ ସୋସିଆଲ ମିଡିଆରେ ବିମାନ କମ୍ପାନୀ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏପରି ଘଟଣା ବାରମ୍ବାର ଘଟୁଥିବା ନେଇ ଚିନ୍ତା ପ୍ରକାଶ କରିବା ସହ ବିମାନ କମ୍ପାନୀର ଅବହେଳା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଉଡ଼ାଣ ବିଳମ୍ବ ସମ୍ପର୍କରେ, ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ନଭେମ୍ବର ୮ରେ ମୁମ୍ବାଇରୁ ଲଣ୍ଡନ ପାଇଁ ଉଡ଼ାଣ କରିବାକୁ ଥିବା ବିମାନ AI-୧୨୯ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁ ପୁସ୍‌ବ୍ୟାକ୍‌ ପରେ ଫେରି ଆସିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଓହ୍ଲାଇଥିବାବେଳେ ବିମାନର ଯାନ୍ତ୍ରିକ ଯାଞ୍ଚ କରାଯାଉଛି।

ଏୟାର ଇଣ୍ଡିଆ ଏହା ମଧ୍ୟ କହିଛି ଯେ, ଏହି ସମୟ ମଧ୍ୟରେ ବିମାନ ଡ୍ୟୁଟି ସମୟ ସୀମା (FDTL) ପ୍ରୋଟୋକଲ ଅନୁଯାୟୀ କ୍ରୁଙ୍କୁ ବିଶ୍ରାମ ପାଇଁ ପଠାଯାଇଛି, ଯାହା ଯୋଗୁ ସେମାନେ ତୁରନ୍ତ ଉଡ଼ାଣ ପରିଚାଳନା କରିପାରିବେ ନାହିଁ। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ।

ଯାନ୍ତ୍ରିକ ତ୍ରୁଟି ସମାଧାନ ସମୟରେ ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେନେଇ ଏକ ସ୍ବତନ୍ତ୍ର ଏୟାରଲାଇନ୍ସ ଦଳ ଉପସ୍ଥିତ ଥିଲେ। ମୁଖପାତ୍ର କହିଛନ୍ତି, ମୁମ୍ବାଇ ବିମାନବନ୍ଦରରେ ଆମର ଭୂମି ଦଳ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା ସମେତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି।

ଏୟାର ଇଣ୍ଡିଆ କହିଛି, ଯାତ୍ରୀ ସୁରକ୍ଷା ଏବଂ ସୁବିଧା ଏହାର ସର୍ବୋଚ୍ଚ ପ୍ରାଥମିକତା ଏବଂ ଯାତ୍ରୀମାନେ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଛି।

Dharitri – Odisha’s No.1 Trusted Odia Daily

Share