କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ।
ଶ୍ରୀପଦ୍ମକେଶର ମନ୍ଦିର ଭାଙ୍ଗିବା ଘଟଣାର ଆଦ୍ୟ ସାହାନାଇ ବଜାଇଥିଲେ କେଶୋଦାସ ମାରୁ। ଦେଉଳ ଭାଙ୍ଗିଯିବାର କାରଣ ଆଲୋଚନା କରିଛନ୍ତି ଛ’ଜଣ ବାହାରିଆ ଲେଖକ। କେଶୋଦାସର ୧୬୦୯ ମସିହା କୋଣାର୍କ ଆକ୍ରମଣ କଥା କେହି ମଧ୍ୟ ଲେଖିନାହାନ୍ତି। ବହୁ କଳ୍ପନାଜଳ୍ପନା ସେମାନେ ଲେଖିଛନ୍ତି, ଅନ୍ଧ ହାତୀ ଦେଖିଲା ପରି। ସେଗୁଡ଼ିକର ଉତ୍ତର ପଣ୍ଡିତ କୃପାସିନ୍ଧୁ ମିଶ୍ର ଦେଇଛନ୍ତି ତାଙ୍କ କୋଣାର୍କ ପୁସ୍ତକରେ।
ଶ୍ରୀଆର୍ଣ୍ଣଟ ଲେଖିଲେ- ମନ୍ଦିର ଆଦୌ ପ୍ରତିଷ୍ଠା ହୋଇ ନ ଥିଲା। ସେଥିପାଇଁ ଭାଙ୍ଗିଗଲା। ପଣ୍ଡିତ ମହାଶୟ ଏହାର ଉତ୍ତରରେ ଲେଖିଛନ୍ତି ତିଆରି ହେଉ ହେଉ ଯଦି ଭାଙ୍ଗିଗଲା, ୩୦୦ ବର୍ଷ ପରେ ଆବୁଲଫଜଲ ମନ୍ଦିରର ବର୍ଣ୍ଣନା କେମିତି କଲେ? ସେମିତି ଫର୍ଗୁସନ ୧୮୩୯ ମସିହାରେ ଲେଖିଲେ- ଦେଉଳ ରେଖାଂଶର ଏକ ପାଖ କାନ୍ଥ ପ୍ରାୟ ୧୦୦ ଫୁଟ ଉଚ୍ଚରେ ଥିଲା। ତାହା ଭାଙ୍ଗିଯିବାରୁ ମନ୍ଦିର ଭାଙ୍ଗିଗଲା।
ପଣ୍ଡିତେ ଲେଖିଲେ- ତାହା ତ ୬୦୦ ବର୍ଷ ଧରି ଦଣ୍ଡାୟମାନ ଥିଲା। ଭାଙ୍ଗିଯାଇଥିଲା କେବେ? ଅନ୍ୟତମ ଲେଖକ ଶ୍ରୀବିଷନ ସ୍ବରୂପ ଲେଖିଛନ୍ତି, ବହୁକାଳ ପର୍ଯ୍ୟନ୍ତ କୋଣାର୍କରେ ଦେବପୂଜା ଚାଲିଥିଲା। ମାଦଳାପାଞ୍ଜି ମତରେ- ନରସିଂହଦେବ ମନ୍ଦିର ନିର୍ମାଣ ପରେ ଭୋଗର ପରିମାଣ ଓ ଆଡ଼ମ୍ବର ବଢ଼ାଇ ଦେଇଥିଲେ। ତେଣୁ ତିିଆରି ହେଉ ହେଉ ଭାଙ୍ଗିଯାଇଥିଲା କହିବା, କେବଳ ଅନୁମାନ।
ଷ୍ଟାର୍ଲିନ କହିଲେ- ଭୂମିକମ୍ପ ଓ ବିଦ୍ୟୁତ୍ ଆଘାତରେ ଦେଉଳ ଭାଙ୍ଗିଗଲା। ପରେ ବର୍ଷା- ପବନ ଯୋଗୁ ମନ୍ଦିର ଧ୍ୱଂସ ପାଇଗଲା। ପଣ୍ଡିତ କୃପାସିନ୍ଧୁ ମିଶ୍ର ଉକ୍ତ ମତକୁ ନିରାଧାର କରିଛନ୍ତି। ଭୂମିକମ୍ପ ଦ୍ୱାରା ଦେଉଳ ଭାଙ୍ଗିଥିଲେ ମୁଖଶାଳା ନିଶ୍ଚୟ ସମଦଶା ପାଇଥା’ନ୍ତା x x x ଭୂମିକମ୍ପ ହୋଇଥିଲେ x x x ତାହା କୋଣାର୍କ ପୂର୍ବରୁ ପୁରୀ ଓ ଭୁବନେଶ୍ୱର ମନ୍ଦିରକୁ ଏକାବେଳକେ ଭୂମିସାତ୍ କରିଦେଇଥା’ନ୍ତା (ପୃ-୨୪୩)। ଓଡ଼ିଶା ଲୋକେ-ଦୁର୍ଦ୍ଦାନ୍ତ କଳାପାହାଡ଼ ଆକ୍ରମଣ, ପୁରୁଷୋତ୍ତମ ଦେବଙ୍କ କାଞ୍ଚତ୍ ବିଜୟ, ସିବେଇ ସାନ୍ତରାଙ୍କ ଖିରିଖିଆ ଘଟଣା… ମନେରଖିଛନ୍ତି! ଭୂମିକମ୍ପ ଲୋକକଥାରେ ନ ଥା’ନ୍ତା! ତେଣୁ ଷ୍ଟାର୍ଲିନଙ୍କ ଆଶଙ୍କା ଅମୂଳକ। କେତେକ ଲେଖିଛନ୍ତି ଚଡ଼ଚଡ଼ି ମାରିବାରୁ ବିଦ୍ୟୁତ୍ ପ୍ରଭାବରେ ଭାଙ୍ଗିଗଲା। ହଇଓ! ଶ୍ରୀପଦ୍ମକେଶର ମନ୍ଦିରର କାନ୍ଥ ୨୦ରୁ ୨୫ଫୁଟ ମୋଟା। ଏତେ ମୋଟା କାନ୍ଥ ଚଡ଼ଚଡ଼ିରେ ଭାଙ୍ଗିବା ସମ୍ଭବ ନୁହେଁ। ଦ୍ୱିତୀୟ କଥା ହେଲା ଚଡ଼ଚଡ଼ି ଆଘାତରୁ ରକ୍ଷା ପାଇବା ପାଇଁ ଓଡ଼ିଶାର ମନ୍ଦିରରେ ନୀଳଚକ୍ର ଓ ତ୍ରିଶୂଳ ଖଞ୍ଜା ଯିବାର ବ୍ୟବସ୍ଥା ଅଛି। ଚଡ଼ଚଡ଼ି ପ୍ରସଙ୍ଗ ସମ୍ପୂର୍ଣ୍ଣ କଳ୍ପନା।
ଶ୍ରୀ ହଣ୍ଟର କହିଲେ- ଖମ୍ବ ଦବିଯିବାରୁ ମୂଳ ପତ୍ତନ ଦବିଗଲା। ମୂଳପତ୍ତନ ଭାର ସହି ନ ପାରି ଦବିଯାଇଥିଲା। ଶେଷକୁ ଶୁଙ୍ଘି ଶୁଙ୍ଘି ସୈନ୍ଧବଲବଣ କହିବା ପରି କହିଲେ, ମୂଳପତ୍ତନ ଗଠନ ଦୋଷ କୋଣାର୍କ ମନ୍ଦିର ପତ୍ତନର ମୂଳ କାରଣ। ଶେଷକୁ କହିଲେ, ମନ୍ଦିର ନିର୍ମାଣ ଶେଷ ନ ହେଉଣୁ ଓ ସୂର୍ଯ୍ୟଦେବଙ୍କ ପ୍ରତିଷ୍ଠା ପୂର୍ବରୁ କୋଣାର୍କ ମନ୍ଦିରର ଅବସାନ ହୋଇଛି। ଏ ବାବୁ ମନ୍ଦିରର ପ୍ରକୃତ ନାମ ଜାଣିନାହାନ୍ତି। ପଥର ଶିଳ୍ପୀ ନୁହନ୍ତି, କାରିଗର ନୁହନ୍ତି, ସ୍ଥପତି ନୁହନ୍ତି, ସର୍ବଜାଣତା ପରି ନିଜ ଐତିହ୍ୟ ନ ଲେଖି ‘ବଳେ ପଶି ମଙ୍ଗଳବାର’ କରିଛନ୍ତି। ବାସ୍ତବରେ କୋଣାର୍କ ଆକ୍ରମଣର ଇତିହାସ ମୋଗଲମାନେ ପାର୍ସୀ ଭାଷାରେ ଲେଖିଥିଲେ। ସେ ଇତିହାସ ନ ଜାଣି ଅନୁମାନକୁ ଆଧାର କରି ପ୍ରକାରାନ୍ତରରେ ଓଡ଼ିଆ ଶିଳ୍ପୀଙ୍କୁ କିଛି ଜଣା ନ ଥିଲା ବୋଲି ବୁଲେଇ ବଙ୍କେଇ (ଇଂରେଜ ଡିପ୍ଲୋମାସି) କହିବାକୁ ଚେଷ୍ଟା କରିଛନ୍ତି। ଏବେ ଆମେ ଆଲୋଚ୍ୟ ପ୍ରସଙ୍ଗକୁ ଫେରିବା।
ଶ୍ରୀପଦ୍ମକେଶର ମନ୍ଦିରର ଧ୍ୱଜବନ୍ଧା ପ୍ରସଙ୍ଗ ପୂର୍ବରୁ ଲେଖି, ତାହା ଓଡ଼ିଶା ଉପାସନା ପରମ୍ପରାରେ କିପରି ନିଆରା, ତାହାର ଆଲୋଚନା କରାଯାଇଥିଲା। ଧ୍ୱଜବନ୍ଧା ହେବା ପରେ ଗଜପତି, କସ୍ତୁରିକା ମେଦିନୀଦେବୀ ଓ ରାଜ ପରିବାର ଧ୍ୱଜର ‘ଅଗଫୁଲି’ ଧରି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ। ଧ୍ୱଜପଦ୍ମରୁ ଧ୍ୱଜ କାଢ଼ିବା ଆଦେଶ ଦେଇଥିଲେ ସୂତ୍ରଧର। ନାରାୟଣ ମହାପାତ୍ର ଗଜପତିଙ୍କ ହାତକୁ ଦେଇଥିଲେ। ସେହିଦିନ ଗଜପତିଙ୍କର ଏକ ‘ଲାଖବିନ୍ଧା’ ମୂର୍ତ୍ତି ଶିଳ୍ପୀ ଗଙ୍ଗାଧର ମହାପାତ୍ର ନିର୍ମାଣ କରି ଭେଟି ଦେଇଥିଲେ।
ପ୍ରତିଷ୍ଠା ପରେ ଆଠ ପ୍ରହର ପ୍ରତିଷ୍ଠିତ ବିଗ୍ରହ ଶାନ୍ତ ଅବସ୍ଥାରେ ଥାଆନ୍ତି। କୌଣସି ନୀତି ହୁଏ ନାହିଁ। ସମୟ ଶେଷ ହେବାପରେ ‘ଆଚାର୍ଯ୍ୟମାନେ ଋକ୍ବେଦ ସୂକ୍ତ ପାଠ ଆରମ୍ଭ କରିଥିଲେ। ରାତ୍ରିର ଶେଷ ପ୍ରହର ହୋଇ ଆସୁଛି। ବେଦମନ୍ତ୍ରରେ ମନ୍ଦିର ପରିସର ଝଙ୍କୃତ ହେଉଥାଏ। ଅନ୍ଧକାର ଅପସରି ଯାଇଛି… ଗଜପତିଙ୍କଠାରୁ ଶିଳ୍ପୀଙ୍କ ପର୍ଯ୍ୟନ୍ତ ବହୁ ଆଶା/ଉଦ୍ଦୀପନାରେ ପ୍ରତୀକ୍ଷା କରିଥାନ୍ତି…। ପୂର୍ବ ଆକାଶରୁ ଉଇଁ ଆସିଲେ ସୂର୍ଯ୍ୟଦେବତା। ନିର୍ନିମେଷ ନୟନରେ ସମସ୍ତେ ଚାହିଁଥାନ୍ତି ବିଗ୍ରହଙ୍କୁ। ପ୍ରଥମ କିରଣରେ ଝଲସିଉଠିଲେ ବିଗ୍ରହ। ହରିବୋଲ ଶବ୍ଦରେ ଭାବାନ୍ତର ସୃଷ୍ଟି ହୋଇଥିଲା। ଶିଳ୍ପୀକୁଳଙ୍କୁ ନେଇ ସିବେଇ ସାନ୍ତରା ଏକ ଅକୁହା ଆବେଗରେ ଥିଲେ… ଶ୍ରୀସୂର୍ଯ୍ୟଙ୍କର ପ୍ରଥମ କିରଣ ଶ୍ରୀସୂର୍ଯ୍ୟଙ୍କ ବିଗ୍ରହକୁ ଛୁଇଁଛି କି ନାହିଁ! ଆଶ୍ୱସ୍ତ ହେଲେ ସମସ୍ତେ। ଓଡ଼ିଆ ଶିଳ୍ପୀ ସଫଳ ହୋଇଛି। ତତ୍କାଳୀନ ସମୟରେ ଏପରି ଏକ ଅଦ୍ଭୁତ ଶିଳ୍ପକଳାର ଚାତୁରୀ କେମିତି ପୁଲକିତ କରିଥିବ!
ଡ. ସୁରେନ୍ଦ୍ର କୁମାର ମିଶ୍ର