ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ପୂର୍ବତନ ସେନାକର୍ମଚାରୀଙ୍କ ଜମିର ବାଡ଼ ଭାଙ୍ଗିଲେ ଦୁର୍ବୁତ୍ତ। କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ପାଟ୍ଟଖଣ୍ଡା ସାହିରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଚାଷ ଜମିର ବାଡକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ସେନା କର୍ମଚାରୀ ଉଦବେଗ ପ୍ରକାଶ କରିଛନ୍ତି। ତାର ଗୁଡିକ ନଷ୍ଟ କରିବା ସହ ସିମେଣ୍ଟ ପୋଲଗୁଡିକ ଭାଙ୍ଗି ଉପାଡି ଫିଙ୍ଗି ଦେଇଥିବା ପୂର୍ବତନ ସେନା କର୍ମଚାରୀ ନାରାୟଣ ସାହୁ କହିଛନ୍ତି। ସେ ତାଙ୍କ ସାନ ପୁଅ ନିକଟକୁ ଆମେରିକା ଚାଲିଯାଇଥିବା ବେଳେ ଏବେ ଫେରିଆସି ବଡ଼ ପୁଅଙ୍କ ନିକଟରେ ଦିଲ୍ଲୀରେ ଅଛନ୍ତି। ଏହି ମଧ୍ୟରେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ତେବେ ସେ ଗାଁକୁ ଫେରିଲେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ଏବେ ମୋ ସ୍ବାସ୍ଥ୍ୟ ଭଲ ନାହିଁ।
ପ୍ରକାଶ ଯେ, ଭାରତ-ପାକିସ୍ଥାନ ପ୍ରଥମ ଯୁଦ୍ଧବେଳେ ସେ ଯୁଦ୍ଧରେ ସାମିଲ ହୋଇଥିଲେ। ଦିନେ ଦେଶକୁ ସୁରକ୍ଷା ଯୋଗାଉଥିବା ଏହି ସେନା ଅଧିକାରୀ ଏବେ ନିଜ ଜମି ଅସୁରକ୍ଷିତ ନେଉ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କରିଥିବା ଦୁର୍ବୁତ୍ତଙ୍କୁ ଖୋଜି ବାହାର କରିବା ଆବଶ୍ୟକ ଓ ପୋଲିସ ତାଙ୍କୁ ସହଯୋଗ କରିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବତନ ସେନାକର୍ମଚାରୀଙ୍କ ଜମିକୁ ଲାଗିକି ଖେଳ ପଡିଆ ରହିଛି । ସେଠାରେ ବିଭିନ୍ନ ପଟୁ ଆସି ପିଲା କ୍ରିକେଟ ଖେଳୁଛନ୍ତି। କ୍ରିକେଟ ବଲ ତାଙ୍କ ଜମି ଭିତରେ ପଡୁଥିବାରୁ ଖେଳାଳିମାନେ ତାଙ୍କ ସୁବିଧା ପାଇଁ ମୋ ବାଡ଼ ଭାଙ୍ଗିଥାଇପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି। କିନ୍ତୁ ବଲ ଆଣିବା ପାଇଁ ସେ ୧୬ ଫୁଟର ବାଟ ଛାଡ଼ି ବଳକା ବାଡ଼ ପକାଇଥିଲେ। କିନ୍ତୁ ଏବେ ଅଧାରୁ ଉର୍ଦ୍ଧ ଅଞ୍ଚଳର ବାଡ଼କୁ ତାଡି ଦିଆଯାଇ ନଷ୍ଟ କରାଯାଇଥିବା ଚିନ୍ତାର କାରଣ ବୋଲି ସେ କହିଛନ୍ତି।