ଧାନ ଉଠାଣ ବିଳମ୍ବ ନେଇ ରାସ୍ତାରେ ବସିଲେ ଚାଷୀ, ଯାନବାହନ ଚଳାଚଳ ବ୍ୟାହତ

ନୀଳଗିରି,୨୨ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ବ୍ଲକ ମାଟିଆଳି ବହୁମୁଖୀ ସମବାୟ ସମିତି ଲିଃ ଅନ୍ତର୍ଗତ ଛତ୍ରପୁର ଶାଖାରେ ଧାନକିଣାରେ ପ୍ରିୟାପ୍ରୀତି ପୋଷଣ ସହ ସିରିଏଲରେ ଆଗ ପଛ କରିବା, ନିଧାର୍ଯ୍ୟ ସମୟରେ ଧାନ ନେଉ ନ ଥିବା ଭଳି ଅନେକ ଏନେକ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଶନିବାର ପୂର୍ବାହ୍ନରୁ ୧୯ନଂ ରାଜ୍ୟ ରାଜପଥ ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତାର ଛତ୍ରପୁରଠାରେ ଧାନବସ୍ତା ରାସ୍ତାରେ ରଖି ଅବରୋଧ କରିଛନ୍ତି। ରାଜ୍ୟ ରାଜପଥ  ଅବରୋଧ ହୋଇଯିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ଖବର ପାଇ ବରହମପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

ସୂଚନାଥାଉକି, ୮ ତାରିଖରେ ନିଧାର୍ଯ୍ୟ ସମୟରେ ଧାନ ନେଉ ନ ଥିବା ଭଳି ଏନେକ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଏହି ଠାରେ ଧାନବସ୍ତା ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ। ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କଟ୍‌ନି ଛଟ୍‌ନି ବନ୍ଦ କରିବା ସହିତ ସୋସାଇଟି କାନ୍ଥରେ ସିରିଏଲ ନମ୍ବର କାଗଜ ସର୍ବସାଧାରଣରେ ପ୍ରତିଫଳନ କରାଯିବା ସହିତ ସିରିଏଲ ଅନୁଯାୟୀ ଧାନ କ୍ରୟ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। କିନ୍ତୁ ପୁଣି ସେହିଭଳି ଅବ୍ୟବସ୍ଥାକୁ ନେଇ ପୁଣି ଥରେ ଛତ୍ରପୁର ଛକରେ ରାସ୍ତାରୋକୋ ଚାଲିଛି।