ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ ଦିନ ଗଣୁଛନ୍ତି। ଉପଖଣ୍ଡ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନଙ୍କ କହିବା ଅନୁଯାୟୀ, ପର୍ଯାପ୍ତ ଟ୍ୟାଗ୍ ବ୍ୟବସ୍ଥା ଚାଲିଛି। ୨/୪ ଦିନ ଭିତରେ ବ୍ୟବସ୍ଥାରେ ସୁଧାର ଆସିବ, ମିଲର୍ସଙ୍କୁ ଧାନ ଉଠାଇବା ପାଇଁ ଟ୍ୟାଗ୍ ଦିଆଯିବ। ଅପରପକ୍ଷେ ଚାଷୀଙ୍କ ଧାନ ଖୋଲାଆକାଶରେ ପଡ଼ିରହିଛି। ଯେଉଁ ମିଲର୍ସଙ୍କ ଟାର୍ଗେଟ୍ ଅଛି ସେମାନେ ମନମୁତାବକ କଟ୍ନି କରି ଧାନ ଉଠାଉଥିବା ଅଭିଯୋଗ ହେଉଛି। ଚାଷୀଙ୍କ ଟୋକନ ତାରିଖ ଅତିକ୍ରମ କରିଥିବା ବେଳେ ସେମାନେ ପୁଣି ନିର୍ଦ୍ଧାରିତ ୧୫ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ମଣ୍ଡିକୁ ଦିନକୁ ମାତ୍ର ୧୫୦ରୁ ୨୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆହେଉଛି, ଯାହାକି ଧାନବିକ୍ରିକୁ ମନ୍ଥର କରିଦେବା ସହିତ କଟ୍ନି ଛଟ୍ନିକୁ ପ୍ରୋତ୍ସାହନ କରୁଛି। ପଦ୍ମପୁର ବ୍ଲକ ଉପାନ୍ତ ମଣ୍ଡି ଦହିତା, ଦହିଗାଁ, ବୁଡ଼େନ, ଜମଲା, କନସିଂହା ସମେତ ଉପଖଣ୍ଡର ପାଇକମାଳ, ଝାରବନ୍ଧ, ଗାଇସିଲେଟ ଅଞ୍ଚଳର ୯୩ଟି ମଣ୍ଡିରେ ଅଚଳାବସ୍ଥା ଦେଖାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଶୁକ୍ରବାର ସୁଦ୍ଧା ପଦ୍ମପୁର ଉପଖଣ୍ଡ ୯୩ ମଣ୍ଡିରେ ୧୧ ଲକ୍ଷ ୮୭ ହଜାର ପ୍ୟାକେଟ୍ ଧାନ ପଡ଼ିରହିଥିବା ନିମନ୍ତ୍ରିତ ବଜାର କମିଟି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସର୍ବାଧିକ ପାଇକମାଳ ବ୍ଲକ ଝିଟିକି ମଣ୍ଡିରେ ୫୯ ହଜାର ପ୍ୟାକେଟ୍, ପାଇକମାଳରେ ୪୩ ହଜାର ପ୍ୟାକେଟ୍, ଧାରୋଲରେ ୩୭ ହଜାର, ଝାରବନ୍ଧ ବ୍ଲକ ଅମଠି, ଭଏସାଦର୍ହା, ଲୌଡିଦର୍ହଆରେ ସମେତ ଅନେକ ଉପାନ୍ତ ମଣ୍ଡିରେ ୩୧ ହଜାର ୫୦୦, ଲାଖମରାରେ ୩୮ ହଜାର, ଦହିଗାଁରେ ୨୯ ହଜାର ପ୍ୟାକେଟ୍ ଧାନ ପଡ଼ିରହିଛି। ଏପର୍ଯ୍ୟନ୍ତ ୬୧ ହଜାର ୪୮୪ ଜଣ ଚାଷୀ ୨୫ ଲକ୍ଷ ୪୨ ହଜାର ୪୦୯ କୁଇଣ୍ଟାଲ ଧାନ ବିକ୍ରି କରିଥିବା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପଣ୍ଡା ସୂଚନା ଦେଇଛନ୍ତି। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଆଇନ ପରାମର୍ଶଦାତା ଅଜିତ୍ ଶତପଥୀ କହିଛନ୍ତି, ଚଳିତବର୍ଷ ସବୁଠାରୁ ବଡ଼ ବ୍ୟତିକ୍ରମ ହେଲା ଟୋକନ ଓ କଟ୍ନି ସମସ୍ୟା। ଆଜିପର୍ଯ୍ୟନ୍ତ ମଧ୍ୟ ଚାଷୀଙ୍କ ଟୋକନ ଆସିନାହିଁ। ଯେଉଁ ଚାଷୀମାନଙ୍କର ଟୋକନ ଆସିଛି ଧାର୍ଯ୍ୟ ଜମି ପରିମାଣରୁ ବହୁତ କମ୍ ଆସିଛି। ଅପରପକ୍ଷରେ ମିଲର୍ସଙ୍କୁ ପ୍ରଶାସନ ତାଗିଦ୍ କରିପାରୁନାହାନ୍ତି। ତେଣୁ ଚାଷୀ ସେମାନଙ୍କ ଅମଳ ଧାନ ବାଧ୍ୟହୋଇ ଦଲାଲ ହାତରେ ଟେକିଦେଉଛନ୍ତି। ୨୮ ଫେବୃଆରୀ ସୁଦ୍ଧା ଧାନ ନ ଉଠିଲେ ଅଞ୍ଚଳର ଚାଷୀ ସେମାନଙ୍କ ଧାନକୁ ସରକାରୀ କାର୍ଯ୍ୟାଳୟରେ ପୂରାଇବେ ବୋଲି ଧମକ ଦେଇଛନ୍ତି।