ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କଲେ ବାସନ୍ଦ, ଅଭିଯୋଗ ପରେ…

ଛତ୍ରପୁର, ୨୮।୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ତାଙ୍କୁ ଏବଂ ତାଙ୍କର ପରିବାରକୁ କୈବର୍ତ୍ତ୍ୟ ସମାଜ କୂଳରୁ ବାସନ୍ଦ କରାଯାଇଥିବା ଛତ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି। ଗତକାଲି ଅତିରିକ୍ତ ତହସିଲଦାରଙ୍କ ପିତା ବିଜୟ ବେହେରା ଛତ୍ରପୁର ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପକ୍ଷରୁ କୂଳର ୯ ଜଣଙ୍କ ନାମରେ କେସ ନଂ ୭୫୪ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ସୂଚନାନୁସାରେ,ଅତିରିକ୍ତ ତହସିଲଦାର ବେହେରାଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମ । ସେ ଗତ ଫେବୃଆରୀ ମାସରେ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ୍ତ୍ୟ ସମାଜ ପକ୍ଷରୁ ତାଙ୍କ ପରିବାରକୁ କୂଳରୁ ବାସନ୍ଦ କରାଯାଇଛି । ଫେବୃଆରୀରେ ଯେତେବେଳେ ତାଙ୍କର ବିବାହ ହୋଇଥିଲା, ଏହାପରେ ତାଙ୍କର ପିତା କୂଳ ସମାଜରେ ତାଙ୍କ ପୁଅର ବିବାହ ବିଷୟରେ ଜଣାଇଥିଲେ । କୂଳ ସମାଜ ପକ୍ଷରୁ ତାଙ୍କୁ ପ୍ରତି ଜବାବରେ କୁହାଯାଇଥିଲା ତୁମେ ତୁମ ପୁଅ ସହିତ ରହିବ ନା’ ଅଲଗା ରହିବ । ଅତିରିକ୍ତ ତହସିଲଦାରଙ୍କ ପିତା କହିଥିଲେ ପୁଅ ସହିତ। ଏହାପରେ କୂଳ ତରଫରୁ ବିଚାର କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଚଳିତମାସ ୨୩ ତାରିଖରେ ଗାଁରେ ଏକ ବିବାହ ଭୋଜିରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭୋଜି ଖାଉଥିବା ବେଳେ ତାଙ୍କରି ଖଲିପତ୍ର ଉଠାଯାଇଥିଲା ଏବଂ ତାଙ୍କୁ ଏ ଭୋଜିକୁ କିଏ ନିମନ୍ତ୍ରଣ କରିଛି ବୋଲି ଅପମାନିତ କରାଯାଇଥିଲା । ଏହା ତାଙ୍କୁ ଏବଂ ତାଙ୍କ ପରିବାର ପ୍ରତି ଘୋର ଅପମାନ ହୋଇଥିଲା । ଏହାପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପରିବାରକୁ କୂଳ ସମାଜରୁ ବାସନ୍ଦ କରାଯାଇଛି । ଏଣୁ ଏହାର ବିଚାର କରିବା ନେଇ ସେ ଛତ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ।

Dharitri – The Largest & Most Trusted Odia Daily