ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୨ ମାର୍ଚ୍ଚରେ ଚେତାବନୀ ଦେଇଥିଲେ। ହେଲେ ଚେତାବନୀ ଅବଧି ପୂରି ନ ଥିବା ବେଳେ ଇରାନ୍‌ର ଶକ୍ତି ପ୍ଲାଣ୍ଟ ଓ ସେହି ସଂକ୍ରାନ୍ତ ଭିତ୍ତିଭୂମି ଉପରେ ୫ ଦିନ ପାଇଁ ଆକ୍ରମଣ ସ୍ଥଗିତ ରଖିବାକୁ ନିଜ ଆଡ଼ୁ ଟ୍ରମ୍ପ୍‌ ତାଙ୍କ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ୍‌ ସହ ଉତ୍ତମ ଓ ସକାରାତ୍ମକ ଆଲୋଚନା ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରମ୍ପ୍‌ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହା ପରେ ଇରାନ୍‌ ଗଣମାଧ୍ୟମ ଟ୍ରମ୍ପ୍‌ଙ୍କ ଦାବିକୁ ଅସ୍ବୀକାର କରିବା ସହ ଆମେରିକା ସହିତ କୌଣସି ଭାବେ ପ୍ରତ୍ୟକ୍ଷ ବା ପରୋକ୍ଷ ଆଲୋଚନା ହୋଇ ନ ଥିବା କହିଛି। ଏହା ଦର୍ଶାଉଛି ଯେ, ଇରାନ୍‌ ତା’ର ସ୍ବାଭିମାନକୁ ବଞ୍ଚାଇବା ପାଇଁ ନିର୍ଭୀକ ଭାବେ ଯୁଦ୍ଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି।
ଉପରଲିଖିତ ଘଟଣାକ୍ରମକୁ ତର୍ଜମା କଲେ ଗୋଟିଏ ବିଷୟ ସିଦ୍ଧ ହେଉଛି ଯେ, ଇରାନ୍‌ କୌଣସି ଭାବେ ଆମେରିକାର ଧମକକୁ ସହ୍ୟ କରିବା ଲାଗି ଇଚ୍ଛୁକ ନୁହେଁ। ତା’ ନତାଞ୍ଜ ଆଣବିକ କେନ୍ଦ୍ରକୁ ଆମେରିକା ଆକ୍ରମଣ କରିଥିବା ବେଳେ ଇରାନ୍‌ ମଧ୍ୟ କଡ଼ା ଜବାବ ଦେବାକୁ ଯାଇ ଡିଏଗୋ ଗାର୍ସିଆରେ ଥିବା ଆମେରିକା-ବ୍ରିଟେନ୍‌ର ସାମରିକ ଘାଟି ଉପରେ ବାଲିଷ୍ଟିକ୍‌ ମିଶାଇଲ୍‌ ଆକ୍ରମଣ କରିଥିଲା। ଏବେ ଆମେରିକା ସାମୟିକ ସମୟ ପାଇଁ ଯୁଦ୍ଧ ସ୍ଥଗିତ ନିଷ୍ପତ୍ତି ନେବା ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ସେଥିମଧ୍ୟରେ ଯେଉଁ ବିଷୟ ଗ୍ରହଣଯୋଗ୍ୟ ହେଉଛି, ତାହା ହେଲା ଇରାନ୍‌ ପକ୍ଷରୁ ଆମେରିକାକୁ ଦିଆଯାଇଥିବା ଧମକ। ଇରାନ୍‌ କହିଥିଲା ଯେ, ଯଦି ଆମେରିକା ତା’ ତୈଳ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରେ ତେବେ ପଶ୍ଚିମ ଏସିଆରେ ଥିବା ଲବଣମୁକ୍ତକରଣ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରିବ। ଉଲ୍ଲେଖଯୋଗ୍ୟ ଯେ, ଗଲ୍ଫ କୋଅପରେଶନ କାଉନସିଲ (ଜିସିସି) ସଦସ୍ୟଭୁକ୍ତ ବାହାରିନ୍‌, କୁଏଟ୍‌, ଓମାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ସେହିସବୁ ଦେଶରେ ଆମେରିକାର ସାମରିକ ଘାଟି ମଧ୍ୟ ଲବଣମୁକ୍ତ ଜଳ ବ୍ୟବହାର କରିଥାଆନ୍ତି। ଲବଣମୁକ୍ତ ପ୍ରକଳ୍ପରେ ସମୁଦ୍ର ଜଳକୁ ବିଶୋଧନ କରାଯାଇ ପାନୀୟ ଜଳରେ ପରିଣତ କରାଯାଏ। ସମ୍ପୃକ୍ତ ଭୂଖଣ୍ଡରେ ମଧୁର ଜଳ ସବୁଠୁ ଅଧିକ ଗୁରୁତ୍ୱ ବହନ କରେ। ସେହି ଦୃଷ୍ଟିରୁ ଦେଖିଲେ ଇରାନ୍‌ର ଧମକରେ ଉପରୋକ୍ତ ଦେଶଗୁଡ଼ିକ ଭୟଭୀତ ହୋଇ ଯୁଦ୍ଧକୁ ସ୍ଥଗିତ ରଖିବା ପାଇଁ ଆମେରିକାକୁ କହିଥାଇପାରନ୍ତି। ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣରେ ମଧ୍ୟପ୍ରାଚ୍ୟର ଉପରୋକ୍ତ ଦେଶଗୁଡ଼ିକ ବେଶି କ୍ଷତି ସହିଲେଣି। ସେହିସବୁ ରାଷ୍ଟ୍ରଗୁଡ଼ିକରେ ଆମେରିକାର ସାମରିକ ଘାଟି ଥିବାରୁ ଇରାନ୍‌ କାହାରିକୁ ଛାଡ଼ି ନାହିଁ। ସେହିପରି ଟ୍ରମ୍ପ୍‌ ନିଜ ଦେଶ ଭିତରେ ଯୁଦ୍ଧକୁ ନେଇ ଘୋର ବିରୋଧର ସମ୍ମୁଖୀନ ହେଉଥିବାରୁ ଚାପରେ ପଡ଼ି ଆକ୍ରମଣ ନିଷ୍ପତ୍ତି ବଦଳାଇଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।
ଯୁଦ୍ଧ ସ୍ଥିତିରେ ବିରାମ ଲାଗିବା ନେଇ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି ଅବଶ୍ୟ ବିଶ୍ୱ ବଜାରକୁ ଉତ୍ଥାନ ଆଡ଼କୁ ନେଇଛି। ୫ ଦିନ ପାଇଁ ଆକ୍ରମଣ ବନ୍ଦ ରହିବା ନେଇ ଟ୍ରମ୍ପ୍‌ଙ୍କ ସୋସିଆଲ ମିଡିଆର ବାର୍ତ୍ତା ପହଞ୍ଚତ୍ବା ପରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୮ରୁ ୧୦୧କୁ ଖସି ଆସିଛି। ସେହିପରି ସୁନା ଦର ୧୦ ଗ୍ରାମ୍‌ ପିଛା ୧୨ ହଜାର ଟଙ୍କା ଓ ରୁପା କିଲୋଗ୍ରାମରେ ୨୦ ହଜାର ଟଙ୍କା କମିଯାଇଛି। ତେବେ ଭାରତ ପାଇଁ ସ୍ଥିତି ହଠାତ୍‌ ଅନୁକୂଳ ନ ହୋଇ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୯୪ ଟଙ୍କା ଛୁଇଁବା ଚିନ୍ତା ସୃଷ୍ଟି କରିଛି। ଏଭଳି ଅର୍ଥନୈତିକ ପରିସ୍ଥିତି ପାଇଁ ଭାରତ ସରକାର ଖୋଦ୍‌ ଦାୟୀ। ଆରମ୍ଭରୁ ଇସ୍ରାଏଲକୁ ସମର୍ଥନ କରି ଭାରତ ଏକ ଅସୁବିଧାଜନକ ସ୍ଥିତିରେ ପଡ଼ିଯାଇଛି। ଭାଜପାର ଆଭ୍ୟନ୍ତରୀଣ ମୁସଲମାନ ବିରୋଧୀ ରାଜନୀତିକୁ ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକାରୀ କରାଯାଉଛି, ତାହା ଦେଶ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି। ଗୋଟିଏ ପଟେ ଭୋଟ ପାଇବାର ଲୋଭ ଅନ୍ୟପଟେ ଅନ୍ତର୍ଜାତୀୟ ସମ୍ପର୍କରେ ବିଶୃଙ୍ଖଳା ଭାରତକୁ ଅସ୍ବାଭାବିକ ସ୍ଥିତିକୁ ନେଇଯାଉଛି।
ଆଉ ଏକ ବିଷୟ ହେଉଛି, ଆମେରିକା ଯୁଦ୍ଧ ସ୍ଥଗିତ ନେଇ ନିଷ୍ପତ୍ତି ନେଇଥିଲେ ମଧ୍ୟ ଇସ୍ରାଏଲ ପୂର୍ବ ଭଳି ଇରାନ୍‌ ଉପରେ ଆକ୍ରମଣ ଜାରି ରଖିଛି। ଏହା ନିଶ୍ଚିତ ଭାବେ ଏକ ବିରୋଧାଭାସ ସ୍ଥିତି ସୃଷ୍ଟି କରିଛି। ଆମେରିକା ଓ ଇସ୍ରାଏଲ ମିଳିତ ସମର ଅଭିଯାନ ଚଳାଇଥିବା ବେଳେ ଗୋଟିଏ ଦେଶ ନୀରବ ରହିବା ଯୁଦ୍ଧ ମୋଡ଼ କେଉଁ ଆଡ଼କୁ ଯିବ କହିହେଉ ନାହିଁ। ଏହା ଜଣାଶୁଣା ଯେ, ଅଶାନ୍ତ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ନିଜର ସ୍ଥାୟିତ୍ୱ ବଜାୟ ରଖିବା ଲାଗି ଇରାନ୍‌କୁ ଧମକାଇ ରଖିବାକୁ ଚାହିଁଥାଏ। କିନ୍ତୁ ଏତେସବୁ ଭିତରେ ଯେଉଁ ବିଷୟ ଅନ୍ତର୍ଜାତୀୟ ସ୍ତରରେ ନୂଆ ଚର୍ଚ୍ଚା ସୃଷ୍ଟି କଲା ତାହା ହେଉଛି ଆମେରିକାର ଆଧିପତ୍ୟ ଏହି ଯୁଦ୍ଧ ଯୋଗୁ ବଡ଼ ଧକ୍କା ଖାଇଲା। ଟ୍ରମ୍ପ୍‌ ଭାବିଥିଲେ ଆମେରିକାର ସାମରିକ ଡରାଣରେ ଇରାନ୍‌ କାକୁସ୍ଥ ହୋଇ ତାଙ୍କ ଶରଣାପନ୍ନ ହେବ। କିନ୍ତୁ ଇରାନ୍‌ ସୁପର ରଣକୌଶଳ ପ୍ରଦର୍ଶନ କରି ଟ୍ରମ୍ପ୍‌ଙ୍କୁ ଆଣ୍ଠେଇ ଦେଲା। ଫଳରେ ଆମେରିକାର ସମ୍ମାନ ବିଶ୍ୱସ୍ତରରେ ଭୂଲୁଣ୍ଠିତ ହେଲା ବୋଲି କୁହାଯାଇପାରେ। ଏଥିରୁ ବୁଝିବାକୁ ହେବ ଯେ, ଅହଂକାର ପ୍ରଦର୍ଶନ କରି ଅନ୍ୟକୁ ନୂ୍ୟନ ଦେଖୁଥିବା ବ୍ୟକ୍ତିମାନେ ଭୁଲ୍‌ ନିଷ୍ପତ୍ତି ଯୋଗୁ ସମୟକ୍ରମେ ଅପଦସ୍ଥ ହୋଇଥାଆନ୍ତି।