ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସାଧାରଣ ଲୋକଙ୍କ ପାଇଁ ‘ମରଣଯନ୍ତା’ ପାଲଟିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ ଉପରେ ଥିବା ଆଇରନ ଗ୍ରେଟିଂ ବା ଲୁହା ପାଇପ ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ ହେଁ ପ୍ରଶାସନ ଏଥିପ୍ରତି ଦୀର୍ଘ ଦିନ ହେବ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି।
ଗୋରୁ ଗାଈ ଓ ଅନ୍ୟାନ୍ୟ ପଶୁଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ବ୍ଲକ ପ୍ରବେଶ ଦ୍ୱାରରେ ଏହି ଲୁହା ଜାଲି (Cattle Trap) ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ପାଇପ ଗୁଡ଼ିକ ମଝିରୁ ବାହାରି ଯିବା ସହ ଅନେକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ବାଟ ଦେଇ ଶତାଧିକ ଲୋକ, କର୍ମଚାରୀ ଓ ଯାନବାହନ ଚଳାଚଳ କରୁଛନ୍ତି। ବିଶେଷ କରି ରାତି ସମୟରେ ବାଇକ ଚାଳକମାନେ ଏହି ଫାଙ୍କରେ ଚକା ଫସିଯିବା ଭୟରେ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି।
ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ, ସହକାରୀ ଯନ୍ତ୍ରୀ (AEE) ସାଲକୁ ହେମ୍ରମ କହିଛନ୍ତି ଯେ, ଆମେ ଏହି ସମସ୍ୟା ବିଷୟରେ ପୂର୍ବରୁ ଅବଗତ ଅଛୁ। ଏହାର ମାପଚୁପ ଶେଷ ହୋଇଛି ଏବଂ ପୁରୁଣା ପାଇପ ବଦଳାଇ ନୂତନ ଉତ୍ତମ ମାନର ଲୁହା ପାଇପ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଯିବ।”
ପ୍ରଶାସନର ଏହି ପ୍ରତିଶ୍ରୁତି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା। ଯଦି ଯଥାଶୀଘ୍ର ମରାମତି କରା ନଯାଏ, ତେବେ କୌଣସି ବଡ଼ ଧରଣର ଅଘଟଣ ପାଇଁ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି।
Dharitri – Odisha’s No.1 Odia Daily