ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା): ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସରକାର ସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କର୍ମଶକ୍ତିରେ ୭୦% ମହିଳା ଅଂଶଗ୍ରହଣକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରଖାଯାଇଛି । ପିଏଲ୍ଏଫ୍ଏସ୍ ତଥ୍ୟ ଅନୁଯାୟୀ ଦେଶରେ ମହିଳା କର୍ମନିଯୁକ୍ତି ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମହିଳା ନିଯୁକ୍ତି ହାର ୨୦୧୭-୧୮ରେ ୨୨%ରୁ ୨୦୨୩-୨୪ରେ ୪୦.୩%କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବେକାରି ହାର ୫.୬ ପ୍ରତିଶତରୁ ୩.୨ ପ୍ରତିଶତକୁ ହ୍ରାସ ପାଇଛି । ଗ୍ରାମୀଣ ଭାରତରେ ମହିଳା ନିଯୁକ୍ତିରେ ୯୬% ବୃଦ୍ଧି ଘଟିଥିବାବେଳେ ସହରାଞ୍ଚଳରେ ୪୩% ବୃଦ୍ଧି ଘଟିଛି। ଏକ ଆକଳନ ଅନୁସାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମହିଳାମାନଙ୍କ ନିଯୁକ୍ତି କ୍ଷମତା ମଧ୍ୟ ୨୦୧୩ରେ ୪୨% ଥିବାବେଳେ ତାହା ୨୦୨୪ରେ ୪୭.୫୩%କୁ ବୃଦ୍ଧି ପାଇବ । ସ୍ନାତକୋତ୍ତର ଏବଂ ତଦୂର୍ଦ୍ଧ୍ୱ ଡିଗ୍ରୀ ହାସଲ କରିଥିବା ମହିଳାଙ୍କ ମଧ୍ୟରେ ନିଯୁକ୍ତି ହାର ୨୦୧୭-୧୮ରେ ୩୪.୫%ରୁ ୨୦୨୩-୨୪ରେ ୪୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୫ ଅନୁଯାୟୀ, ୨୦୨୫ରେ ପ୍ରାୟ ୫୫% ଭାରତୀୟ ସ୍ନାତକ ବିଶ୍ୱ ସ୍ତରରେ ନିଯୁକ୍ତି ଯୋଗ୍ୟ ହେବେ ବୋଲି ଆଶା କରାଯାଉଛି। ଏହା ୨୦୨୪ରେ ୫୧.୨% ଥିଲା। ଇପିଏଫଓ ପେରୋଲ ତଥ୍ୟ ଅନୁସାରେ, ସଂଗଠିତ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢ଼ିଛି। ଗତ ୭ ବର୍ଷରେ ୧.୫୬ କୋଟି ମହିଳା ଆନୁଷ୍ଠାନିକ କର୍ମଶକ୍ତିରେ ଯୋଗ ଦେଇଛନ୍ତି। ଏହି ସମୟରେ ଅଗଷ୍ଟ ସୁଦ୍ଧା ଇ-ଶ୍ରମ ପୋର୍ଟାଲରେ ୧୬.୬୯ କୋଟିରୁ ଅଧିକ ଅସଂଗଠିତ ମହିଳା ଶ୍ରମିକଙ୍କ ପଞ୍ଜୀକରଣ ରେକର୍ଡ କରାଯାଇଛି, ଅନ୍ୟପଟେ ଜାତୀୟ ସ୍ତରରେ ୧୫ଟି ମନ୍ତ୍ରଣାଳୟର ୭୦ଟି କେନ୍ଦ୍ରୀୟ ଯୋଜନା ଏବଂ ୪୦୦ରୁ ଅଧିକ ରାଜ୍ୟସ୍ତରୀୟ ଯୋଜନା ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ପିଏଲଏଫଏସ ତଥ୍ୟ ଦର୍ଶାଉଛି ଯେ ମହିଳା ଆତ୍ମନିଯୁକ୍ତି ୩୦% ବୃଦ୍ଧି ପାଇଛି। ୨୦୧୭-୧୮ ରେ ୫୧.୯%ରୁ, ୨୦୨୩-୨୪ରେ ଏହା ୬୭.୪%କୁ ବୃଦ୍ଧି ପାଇବାର ଆକଳନ କରାଯାଇଛି।