କାଉଗୁଡାଗ୍ରାମର ୩୦ ଚାଷୀଙ୍କ ସ୍ବପ୍ନ ସାକାର : ଜମିରେ ପାଚିଲା ଷ୍ଟ୍ରବରୀ ଦେଖି ଚାଷୀ ଆନନ୍ଦରେ ବିଭୋର

କୋରାପୁଟ,୪।୩(ଅମିତାଭ ବେହେରା ): ଗତ ୩ମାସ ଧରି ଜମିରେ କଠିନ ପରିଶ୍ରମ କରି ଷ୍ଟ୍ରବେରୀ ଫଳାଇଛନ୍ତି କୋରାପୁଟ ଜିଲାର କାଉଗୁଡା ଗ୍ରାମର ୩୦ ଜଣ ଚାଷୀ। ନିଜ ଜମିରେ ଫଳିଥିବା ଲାଲ ଲାଲ ଷ୍ଟବରୀକୁ ଦେଖି ଚାଷୀ ନିଜ ସ୍ବପ୍ନ ସାକାର ହୋଇଥିବା କହିବା ସହ ଆନନ୍ଦରେ ବିହୋର ହୋଇଛନ୍ତି। ଏବେ ସୁଦ୍ଧା ଗ୍ରାମର ୩୦ ଜଣ ଚାଷୀ ସମୂହ ଭାବେ ପ୍ରାୟ ୨୫ ଏକର ଜମିରୁ ପ୍ରାୟ ୧୦ କୁଇଣ୍ଟାଲ ଷ୍ଟ୍ରବେରୀ ଅମଳ କରି ସି ୱାଇ ଏସ ଡ଼ି ଜରିଆରେ ବିକ୍ରି କରି ଲାଭବାନ ହୋଇଥିବାରୁ ଆସନ୍ତା ବର୍ଷ ଆହୁରି ଅଧିକା ଜମିରେ ଏହି ଚାଷ କରିବୁ ବୋଲି ଗ୍ରାମର ଷ୍ଟ୍ରବେରୀ କମିଟି ର ସଭାନେତ୍ରୀ ଚାଷୀ ମାଳତି ଗଦବା ପ୍ରକାଶ କରିଛନ୍ତି.। ବର୍ତ୍ତମାନ ପ୍ରତି ଦୁଇ ରୁ ୩ ଦିନ ଅନ୍ତରାଳରେ ଜମିରୁ ଦୁଇ କୁଇଣ୍ଟାଲ ଷ୍ଟ୍ରବେରୀ ଅମଳ କରାଯାଉଥିବା କାଉଗୁଡା ଗ୍ରାମର ଷ୍ଟ୍ରବେରୀ ଚାଷୀ ଧନୁର୍ଜୟ ଗଦବା ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଏହି ୨୫ ଏକର ଜମିରୁ ବ୍ୟାପକ ପରିମାଣରେ ଷ୍ଟ୍ରବେରୀ ଅମଳ ହେଉଥିବାରୁ ଏହାକୁ ବିକ୍ରୟ କରିବାକୁ ସି ୱାଇ ଏସ ଡ଼ି ଜରିଆରେ କୋରାପୁଟ, ସୁନାବେଡା, ଜୟ ପୁର, ସେମିଲିଗୁଡା ବଜାର ସମେତ ମାଲକାନଗିରି,ବ୍ରହ୍ମପୁର ଓ ଭୁବେନେଶ୍ୱରକୁ ବିକ୍ରି କରାଯାଉଥିବା ସି ୱାଇ ଏସଡ଼ିର ଦଶମନ୍ତପୁର ବ୍ଲକର ପ୍ରକଳ୍ପ ସଂଯୋଜକ ଆନନ୍ଦ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ଏହାକୁ ଭେଲୁ ଏଡେଡ ଯଥା ଷ୍ଟ୍ରବେରୀ ଜୁସ, ଚକଲେଟ ଷ୍ଟ୍ରବେରୀ, ଷ୍ଟ୍ରବେରୀ ଶେକ ଆଦି ପ୍ରସ୍ତୂତ କରି ବଜାରରେ ବିକ୍ରି କରାଯିବ ବୋଲି ସି ୱାଇ ଏସଡ଼ି ପକ୍ଷରୁ ପ୍ରସ୍ତୁତି ଚାଲିଥବା ସେ ପ୍ରକାଶ କରିଛନ୍ତି।

ଆଗକୁ ରାୟପୁର ଓ ବିଶାଖାପାଟଣା ବଜାର କୁ କାଉଗୁଡା ଷ୍ଟ୍ରବେରୀ ପଠାଯିବ ବୋଲି ବ୍ୟବସ୍ତା ହେଉଥିବା ସେ ପ୍ରକାଶ କରିଛନ୍ତି। କୋରାପୁଟ ଷ୍ଟ୍ରବେରୀର ବଜାର ଚାହିଦା ସର୍ବାଧିକ ଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ଜିଲାରେ ଷ୍ଟ୍ରବେରୀ ଚାଷ ୫ଶହ ଏକର କୁ ବୃଦ୍ଧି କରାଯିବ ବୋଲି ଜିଲାପାଳ ଭି କୀର୍ତି ଭାସନ ପ୍ରକାଶ କରିଛନ୍ତ। ସେହିପରି ଗତ 28 ତାରିଖରେ ରାଜ୍ୟ କୃଷି ସଚିବ ଡ଼ଃ ଅରବିନ୍ଦ ପାଢ଼ୀ କୋରାପୁଟ ଗ୍ରସ୍ତରେ ଆସି ଏହି କାଉଗୁଡା ଷ୍ଟ୍ରବେରୀ ଖାଇବା ସହ ଏହି ଷ୍ଟ୍ରବେରୀ ଚାଷକୁ ପ୍ରୋତ୍ସାହନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଥାଉକି ଯେ ଜିଲାପ୍ରଶାସନ ଉଦ୍ୟାନ ବିଭାଗ, ଆଇଟିଡ଼ି ଏ, ସି ୱାଇ ଏସ ଡ଼ିର ମିଳିତ ସହଯୋଗରେ କାଉଗୁଡା ଗ୍ରାମର ୩୦ ଜଣ ଚାଷୀକୁ ନେଇ ୨୫ ଏକର ଜମିରେ ଏହି ଷ୍ଟ୍ରବେରୀ ଚାଷ ଗତ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। ସେତେବେଳେ ଏହି ଖବର ବିସ୍ତୃତଭାବେ ଧରିତ୍ରୀରେ ପ୍ରକାଶ ପାଇଥିଲା।