ନିଃଶ୍ୱାସ ଦେଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ଆଗ୍ରା,୧୪।୩: ଦୁନିଆରେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ଭାବରେ ବିବେଚନା କରାଯାଏ। ଡାକ୍ତରମାନେ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଆଗ୍ରାରେ ଦେଖିବାକୁ ମିଳିଛି। ଜଣେ ଡାକ୍ତର ନିଜ ନିଃଶ୍ୱାସ ଦେଇ ନବଜାତ ଶିଶୁର ଜୀବନ ରକ୍ଷା କରିଛନ୍ତି।
ଏତମାଦପୁରର କମ୍ୟୁନିଟି ହେଲ୍‌ଥ ସେଣ୍ଟରରେ ନିଯୁକ୍ତ ହୋଇଥିବା ଜଣେ ମହିଳା ଡାକ୍ତର ନବଜାତ ଶିଶୁର ପ୍ରସବ ପରେ ତାଙ୍କ ପାଟିରୁ ନିଶ୍ୱାସ ଦେଇ ତାଙ୍କ ଜୀବନ ରକ୍ଷା କରିଥିଲେ। ନବଜାତ ଶିଶୁକୁ ନିଃଶ୍ୱାସ ଦେଉଥିବା ଭିଡିଓ ସୋମବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ମହିଳା ଡାକ୍ତରଙ୍କୁ ପ୍ରଶଂସା କରୁଛନ୍ତି।
ସୂଚନାନୁସାରେ, ଏତମାଦପୁରର ବୁର୍ଜ ଗଙ୍ଗୀ ନିବାସୀ ଖୁସବୁଙ୍କୁ ପ୍ରସବ ପାଇଁ ମାର୍ଚ୍ଚ ୨ରେ କମ୍ୟୁନିଟି ହେଲ୍‌ଥ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସାଧାରଣ ପ୍ରସବ ଦ୍ୱାରା ଖୁସବୁ ଏକ ଝିଅକୁ ଜନ୍ମ ଦେଇଥିଲେ। ଜନ୍ମର କିଛି ସମୟ ପରେ ହଠାତ୍‌ ଶିଶୁର ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥିଲା। ହସ୍ପିଟାଲର ଡାକ୍ତର ସୁରେଖା ତାଙ୍କର ପରୀକ୍ଷା କରିଥିଲେ, ନବଜାତ ଶିଶୁର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କୁ ଅମ୍ଳଜାନ ଦିଆଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଏହା ପରେ ଡାକ୍ତର ନବଜାତକଙ୍କ ପାଟିରେ ନିଶ୍ୱାସ ଦେବା ଆରମ୍ଭ କଲେ। ସେ ତାଙ୍କୁ ପ୍ରାୟ ସାତ ମିନିଟ ପର୍ଯ୍ୟନ୍ତ ନିଶ୍ୱାସ ଦେବାରେ ଲାଗିଲେ। ଶେଷରେ ତାଙ୍କର ଏହି ପ୍ରୟାସ ସଫଳ ହେଲା। ନବଜାତ ଶିଶୁର ଅବସ୍ଥା ସୁଧୁରିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ଏବେ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି।