ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀରେ ଏକ ନୂତନ ପୋଲ ନିର୍ମାଣ ଚାଲିଛି। ତେବେ ପୋଲ ନିର୍ମାଣ ସରିବା ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଥିଲା କିନ୍ତୁ ଚଳିତ ବର୍ଷା ଯୋଗୁ ଉକ୍ତ ଡାଇଭର୍ଶନ ଦୁଇ ଦୁଇ ଥର ଧୋଇଯାଇଥିଲା। ଗତ ୧୦ ଦିନରୁ ଅଧିକ ସମୟ ଧରି ଉକ୍ତ ରାସ୍ତା ମରାମତି ହୋଇପାରିନଥିଲା । ଅଞ୍ଚଳବାସୀ ଆନ୍ଦୋଳନର ଧମକ ଦେବା ପରେ ସୋମବାର ଠାରୁ ଉକ୍ତ ଡାଇଭର୍ସନ ରାସ୍ତା ମରାମତି କାର୍ଯ୍ୟ ଚାଲିଛି । ଗତ ଦୁଇ ଦିନ ହେଲା ଘଟଣାସ୍ଥଳକୁ ବିଡ଼ିଓ ପ୍ରୀତିରଞ୍ଜନ ରଥ ଗସ୍ତ କରି ମରାମତି କାର୍ଯ୍ୟକ ତ୍ୱରାନ୍ବିତ କରିବାକୁ ପଦକ୍ଷେପ ନେଉଛନ୍ତି । ବିଡ଼ିଓ ରଥଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କେଶରୀ ସ୍ବାଇଁ ପ୍ରମୁଖ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରାଉଛନ୍ତି । ସେହିପରି ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡା ଏବଂ ଗୁମିକିଆ ପଞ୍ଚାୟତକୁ ଲଷ୍ମୀ ବସ୍ କୋଟଗଡ଼ ବ୍ଲକର ପକାରୀ ପଞ୍ଚାୟତ ଦେଇ ଚଳାଚଳ ଆରମ୍ଭ କରିଛି। ସେହିପରି ବିଡ଼ିଓ ରଥଙ୍କ ନିର୍ଦ୍ଦେଶକ୍ରମେ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ସେବାଶ୍ରାମ ପରିସରରେ ଡାକ୍ତରଙ୍କ ଦ୍ୱାରା ଗର୍ଭବତୀ, ପ୍ରସୂତି ଓ ଅନ୍ୟାନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଛି ବୋଲି ବିଡ଼ିଓ କହିଛନ୍ତି । ଡାକ୍ତର ଅମ୍ବିକା ପ୍ରସାଦ ସତପଥୀଙ୍କ ସହ ଭ୍ରାମ୍ୟମାଣ ଦଳ ଦୁର୍ଗମ ଗାଁ ଗୁଡିକରେ ପହଞ୍ଚି ଚିକିତ୍ସା କରାଇଛନ୍ତି ।