ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ ଭବ୍ୟ ମିନି ‘ଐତିହ୍ୟ ଗଣଦୌଡ଼’(ହ୍ୟାରିଟେଜ ରନ) ଅନୁଷ୍ଠିତ ହୋଇଯାଇଛି। ଏହାକୁ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। । ଗତ ଏପ୍ରିଲ୍ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ପ୍ରତେକ ଦିନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହିକ୍ରମରେ ରବିବାର ଅନୁଷ୍ଠିତ ମିନି ‘ଐତିହ୍ୟ ଗଣଦୌଡ଼’ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲରୁ ଆରମ୍ଭ ହୋଇ ଗୋଲବଜାର ଛକ ଦେଇ ମାଁ ସମଲେଶ୍ୱରୀ ମନ୍ଦିରରେ ଶେଷ ହୋଇଥିଲା। ଏଥିରେ ଛୋଟଛୁଆ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତି ବିଶେଷ ଉତ୍ସାହର ସହିତ ଭାଗ ନେଇଥିଲେ।
ସମ୍ବଲପୁର ଜଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଛନ୍ତି ଯେ, ଚଳିତ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଥିବା ବେଳେ ଆଜିର ଏହି ମିନି‘ଐତିହ୍ୟ ଗଣଦୌଡ଼’ ଆୟୋଜିତ ହୋଇଛି। ସମ୍ବଲପୁରର ପ୍ରମୁଖ ଐତିହ୍ୟ ସ୍ଥଳୀଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରି ଏହାର ଗୁରୁତ୍ୱ ଓ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ ବୋନ୍ଦର କହିଛନ୍ତି।