ଭାରପ୍ରାପ୍ତରେ ଚାଲିଛି ଜିଲା ଶ୍ରମ କାର୍ଯ୍ୟାଳୟ: ୩୦ରୁ ଅଛନ୍ତି ମାତ୍ର ୯ଜଣ

ଭବାନୀପାଟଣା,୭ା୨(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ଶ୍ରମ କାର୍ଯ୍ୟାଳୟରେ ଏବେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ଏଠାରେ ସମୁଦାୟ ୩୦ଟି ପଦବୀ ରହିଥିବାବେଳେ ଅଛନ୍ତି ମାତ୍ର ୯ଜଣ। ଅବଶିଷ୍ଟ ୨୧ଟି ପଦବୀ ଖାଲି ପଡିଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡିଏଲ୍‌ସି),୨ଜଣ ଜିଲା ଶ୍ରମ ଅଧିକାରୀ, ୧୦ ସହକାରୀ ଶ୍ରମ ଅଧିକାରୀ, ଜଣେ କନିଷ୍ଠ ଷ୍ଟେନୋଗ୍ରାଫର, ବରିଷ୍ଠ ସହାୟକ, ୫ ପିଅନ ଓ ଜଣେ ଚାଳକ ପଦବୀ ଖାଲିପଡିଛି। ଗତ ଜାନୁୟାରୀ ଶେଷରେ ଏଠାରେ ଥିବା ଜିଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଡିଏଲ୍‌ସି ଭାବରେ ରାୟଗଡ଼ା ଜିଲାକୁ ପଦୋନ୍ନତି ହୋଇଛି। ଫଳରେ ଏବେ ଭାରପ୍ରାପ୍ତ କଳାହାଣ୍ଡି ଜିଲା ଶ୍ରମ ଅଧିକାରୀ ଭାବେ ସହକାରୀ ଜିଲା ଶ୍ରମ ଅଧିକାରୀ ଜିତମ୍‌ ମାଝୀ ଦାୟିତ୍ୱ ତୁଲାଉଛନ୍ତି। ୨ବର୍ଷରୁ ଅଧିକ ହେବ ଡିଏଲ୍‌ସି ପଦବୀ ଖାଲିପଡିଛି। ଭାରପ୍ରାପ୍ତ ଦାୟିତ୍ୱ ରାୟଗଡାରେ ନିଯୁକ୍ତ ହୋଇଥିବା ଡିଏଲ୍‌ସି ସୁବାସ ଚନ୍ଦ୍ର ମଣ୍ଡଳ ନେଇଥିବା ଜଣାପଡିଛି। ମୋଟାମୋଟି ଭାବେ କହିବାକୁ ଗଲେ ଭାରପ୍ରାପ୍ତ ଅଧିକାରୀରେ ଜିଲା ଶ୍ରମ କାର୍ଯ୍ୟାଳୟ ଚାଲିଛି।
କଳାହାଣ୍ଡି ଜିଲାରେପ୍ରତିବର୍ଷ ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନଙ୍କୁ ତଦାରଖ କରିବା ସହ ଗତିବିଧି ଉପରେ ନଜର ରଖିବା ପାଇଁ ଯେଉଁ ବିଭାଗର ଆବଶ୍ୟକତା ରହିଛି ଖୋଦ୍‌ ସେହି ବିଭାଗର ଅଧିକାରୀ, କର୍ମଚାରୀଙ୍କ ଅଭାବ ରହିଛି। ଜିଲା ଶ୍ରମ କାର୍ଯ୍ୟାଳୟରେ ଏତେ ସଂଖ୍ୟକ ପଦବୀ ଖାଲିପଡିଥିବାରୁ କିପରି କାର୍ଯ୍ୟ ହେଉଥିବ ତାହା ସହଜେ ଅନୁମେୟ। ଅନ୍ୟପକ୍ଷରେ ଜିଲାରେ ସ୍ଥାୟୀ ଡିଏଲ୍‌ସି ପଦବୀ ପୂରଣ କରିବା ପାଇଁ କଳାହାଣ୍ଡି ଆଇନଜୀବୀ ସଂଘ ପକ୍ଷରୁ ଶ୍ରମବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ଉଦ୍ଦେଶ୍ୟରେ ଗତ ସୋମବାର କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ଡିଏଲ୍‌ସି ପୋଷ୍ଟ ଖାଲି ଥିବାରୁ ଶ୍ରମିକ ଜନିତ ମାମଲା ବିଳମ୍ବିତ ହେବା ସହ ସେମାନେ ଠିକ୍‌ ସମୟରେ ନ୍ୟାୟ ପାଉ ନ ଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।