ଫିଲ୍ମ ‘ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ: ଜାଣନ୍ତୁ କେବେ ହେବ ରିଲିଜ୍‌…

ମୁମ୍ବାଇ,୨୫।୨: ଅଭିନେତା ଜନ୍‌ ଆବ୍ରାହମ୍‌ ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ଦି ଡିପ୍ଲୋମାଟ୍‌’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲରକୁ ରିଲିଜ୍‌ କରଯାଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ତେବେ ଏହି ଫିଲ୍ମର ରିଲିଜ୍‌ ତାରିଖକୁ ସପ୍ତାହେ ଘୁଞ୍ଚା ଯାଇଥିବା ନେଇ ମଙ୍ଗଳବାର ଘୋଷଣା କରାଯାଇଛି। ଏନେଇ ଫିଲ୍ମ ନିର୍ମାତା କମ୍ପାନୀ ‘ଟି ସିରିଜ୍‌ ଫିଲ୍ମସ୍‌’ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି।

ଆସନ୍ତା ମାର୍ଚ୍ଚ ୭ରେ ‘ଦି ଡିପ୍ଲୋମାଟ୍‌’ ଫିଲ୍ମ ରିଲିଜ୍‌ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ତେବେ କୌଣସି କାରଣ ବଶତଃ ଏହି ଫିଲ୍ମ ମାର୍ଚ୍ଚ ୭ରେ ନୁହେଁ ବରଂ ମାର୍ଚ୍ଚ ୧୪ରେ ରିଲିଜ୍‌ ହେବ ବୋଲି ‘ଟି ସିରିଜ୍‌ ଫିଲ୍ମସ୍‌’ ପକ୍ଷରୁ ଘୋଷଣା କରାଯାଇଛି। ତେବେ ‘ଦି ଡିପ୍ଲୋମାଟ୍‌’ର ରିଲିଜ୍‌ ତାରିଖ ପରିବର୍ତ୍ତନ ହେବାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।

ଜନ୍‌ ସମ୍ପ୍ରତି ଏହି ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଦେଇ ସେ ‘ଦି ଡିପ୍ଲୋମାଟ୍‌’ ଫିଲ୍ମକୁ ନେଇ କହିଥିଲେ, କୂଟନୀତି ହେଉଛି ଏପରି ଏକ ଯୁଦ୍ଧ କ୍ଷେତ୍ର ଯେଉଁଥିରେ ଶବ୍ଦଗୁଡ଼ିକର ଅସ୍ତ୍ରଠାରୁ ଅଧିକ ଓଜନ ରହିଥାଏ।

କିପରି କୂଟନୀତି ସାହାଯ୍ୟରେ ବୁଦ୍ଧି, ସ୍ଥିରତା, ଶାନ୍ତି ଏବଂ ସାହସିକତାର ସହ ବଡ଼ ବଡ଼ ଯୁଦ୍ଧକୁ ମଧ୍ୟ ହରାଯାଇ ପାରିବ ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ। ‘ଦି ଡିପ୍ଲୋମାଟ୍‌’ ଫିଲ୍ମରେ ଜନ୍‌ଙ୍କୁ ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ତାଙ୍କ ଚରିତ୍ର ଦ୍ୱାରା ପାକିସ୍ତାନରେ ଫସିଥିବା ଜଣେ ଭାରତୀୟ ଯୁବତୀଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି, ଯାହାକୁ ନେଇ ପୂରା ଫିଲ୍ମର କାହାଣୀ ଆଧାରିତ। ଶିଭମ ନାୟାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜନ୍‌ଙ୍କ ବ୍ୟତୀତ ଅଭିନେତ୍ରୀ ଶାଦିଆ ଖତୀବ, ସେହର ଶେହନାଜ୍‌, ଅଭିନେତା କୁମୁଦ ମିଶ୍ରା ଏବଂ ଶରିବ ହାସମୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ‘ଦି ଡିପ୍ଲୋମାଟ୍‌’ର କାହାଣୀକୁ ରିତେଶ ଶାହା ଲେଖିଛନ୍ତି।