ବେଲଗୁଣ୍ଠା,୧୦।୩(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସମ୍ପୂର୍ଣ୍ଣ ପଚି ଯାଇଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନାନୁଯାୟୀ, ସକାଳେ ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ପଥଚାରୀ ମୃତଦେହକୁ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତଦେହ ପାଖରୁ କିଛି ଦୂରରେ ପୋଲିସ ଦୁଇଟି ବ୍ୟାଗ ଜବତ କରିଛି। ଉକ୍ତ ବ୍ୟାଗରୁ କିଛି ପୋଷାକ, ପାଣି ବୋତଲ ଏବଂ କିଛି ଆବଶ୍ୟକୀୟ ସାମଗ୍ରୀ ମିଳିଛି।
ତେବେ ବ୍ୟକ୍ତିଙ୍କ ମୃତ୍ୟୁ କିପରି ହେଲା, ସେ ନେଇ ଏବେ ମଧ୍ୟ ସନ୍ଦେହ ଲାଗିରହିଛି। ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ଏହା ଅତ୍ୟଧିକ ମଦ୍ୟପାନ ଯୋଗୁ ହୋଇଛି କିମ୍ବା ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଯୋଗୁ ଅଂଶୁଘାତରେ ହୋଇଛି ସେ ନେଇ ପୋଲିସ ସନ୍ଦେହ କରୁଛି।
ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ (Post-mortem) ପାଇଁ ପଠାଯାଇଛି, ଯାହାର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ପରିଚୟ ଜାଣିବା ପାଇଁ ପୋଲିସ ଆଖପାଖ ଅଞ୍ଚଳର ଥାନାଗୁଡ଼ିକ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily