ଲାଲୁଙ୍କୁ ହରାଇଥିବା ପ୍ରିୟ ବନ୍ଧୁ ୭୯ ବର୍ଷ ବୟସରେ ଫେରିଲେ ଦଳକୁ

ପାଟନା,୧୧।୫: ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଡାହାଣ ହାତ କୁହାଯାଉଥିବା ରଂଜନ ଯାଦବ ୭୯ ବର୍ଷ ବୟସରେ ଆରଜେଡି ଫେରିଛନ୍ତି। ଲୋକ ସଭା ନିର୍ବାଚନ ମଧ୍ୟରେ ଦଳର ଏମପି ମନୋଜ ଝା ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ରଂଜନ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପୂର୍ବରୁ ଲାଲୁଙ୍କୁ ଭେଟିବା ପରେ ରଂଜନ ଯାଦବ କହିଥିଲେ ଯେ ‘ଆମେ ଦୁହେଁ ୭୦ ଦଶକରେ ସାମାଜିକ ନ୍ୟାୟ ପାଇଁ ଏକାଠି ଲଢିବା ଆରମ୍ଭ କରିଥିଲୁ। ବର୍ତ୍ତମାନ ଆମେ କେବଳ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ କରୁନାହୁଁ, ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ମଧ୍ୟ ସଂଗ୍ରାମ କରୁଛୁ।’
ଲାଲୁ ଯାଦବ ଏବଂ ରଂଜନ ଯାଦବଙ୍କ ମଧ୍ୟରେ ବନ୍ଧୁତା ୬୦ ଦଶକରେ ଆରମ୍ଭ ହୋଇଥିଲା। ରଂଜନ ସମାଜବାଦୀ ପାର୍ଟିର ଛାତ୍ର ୱିଙ୍ଗ ଭାବରେ ସମାଜବାଦୀ ଯୁବଜନ ସଭାରେ ଯୋଗ ଦେଇଥିଲେ। ରଂଜନ ଯାଦବ ପାଟନା ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନ(ଜିଓଲୋଜି)ର ପ୍ରଫେସର ଥିଲେ ଏବଂ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ଏଠାରେ ସେ ଲାଲୁଙ୍କୁ ଭେଟିଥିଲେ। ୭୦ ଦଶକ ସୁଦ୍ଧା ଲାଲୁ ଯାଦବ ଏବଂ ରଂଜନ ଯାଦବଙ୍କ ମଧ୍ୟରେ ବନ୍ଧୁତ୍ୱର ଉଦାହରଣ ଦିଆଯିବା ଆରମ୍ଭ ହୋଇଥିଲା।