ଲଗାଣ ବର୍ଷାରେ ପୁଣି ଧୋଇଗଲା କଲଭର୍ଟ

ନାକଟିଦେଉଳ,୨୪୮(ଡ଼ି.ଏନ.ଏ.): ଲଗାଣ ବର୍ଷାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ଧାତୁକିମାଳ କମଳାନାଳୀ ରାସ୍ତା ନାଳ ଉପରେ ନବନିର୍ମିତ କଲଭର୍ଟ ପୁଣି ଥରେ ଧୋଇ ହୋଇଯାଇଛି। ଧାତୁକିମାଳ ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇଥିବା ବେଳେ ଅପହଞ୍ଚ କମଳାନାଳୀ ଓ ବଡ଼ବିଲ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହଁି। ଧାତୁକିମାଳ ଗ୍ରାମରୁ ବଡ଼ବିଲ ପର୍ଯ୍ୟନ୍ତ ୫କି.ମି. ରାସ୍ତା ଶୋଚନୀୟ ହୋଇଥିବାବେଳେ ରାସ୍ତାରେ ଛୋଟବଡ଼ ୫ଟି ନାଳ ରହିଛି। ଧାତୁକିମାଳ ଗ୍ରାମଠାରୁ ବଡ଼ ନାଳଟି ପାରି ହେବା ପରେ ଏକ ଛୋଟ ନାଳ ଉପରେ ବ୍ଲକ ପ୍ରଶାସନ ପକ୍ଷରୁ କିଛି ମାସ ଆଗରୁ ଏକ କଲଭର୍ଟ ନିର୍ମିତ ହୋଇଥିଲା । ତେବେ ଲଗାଣ ବର୍ଷା ଫଳରେ ନାଳରେ ବଢି ପାଣି ଆସି କଲଭର୍ଟରୁ ମାଟି ଧସି ବିପଜ୍ଜନକ ଭାବେ ରହିଛି। ଗତ ମାସରେ ହୋଇଥିବା ଲଗାଣ ବର୍ଷାରେ ଏହି କଲଭର୍ଟ ଧୋଇ ଯାଇ ଯାତାୟାତରେ ବାଧା ସୃଷ୍ଟି କରିଥିଲା। ପ୍ରଶାସନ ପକ୍ଷରୁ ମରାମତି କରାଯାଇଥିଲେ ମଧ୍ୟ ତିନିଦିନ ପୂର୍ବରୁ ହୋଇଥିବା ଲଗାଣ ବର୍ଷାରେ ପୁଣିଥରେ ଧୋଇ ହୋଇଯାଇଛି।