ଜେନେରିକ୍ ବନାମ ବ୍ରାଣ୍ଡେଡ୍ ଔଷଧ: କମ୍ ମୂଲ୍ୟ ଏବଂ ଗୁଣବତ୍ତାକୁ ନେଇ ସଂଘର୍ଷ

ନୂଆଦିଲ୍ଲୀ,୨୩ା୧୧: ଭାରତରେ ସରକାର ଅନେକ ଥର ଜରୁରୀ ଔଷଧ ଦର ନିୟନ୍ତ୍ରଣ କରିବାକୁ ଅନେକ ନିୟମ ପରିବର୍ତନ କରିଥିଲେ ମଧ୍ୟ ଏହାର ପ୍ରଭାବ ବିଶେଷ ଦେଖିବାକୁ ମିଳେ ନାହିଁ। ବରଂ ଦିନକୁ ଦିନ ଜେନେରିକ୍ ଏବଂ ବ୍ରାଣ୍ଡେଡ୍ ଔଷଧ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି। ତେବେ ସରକାର ସୁଲଭ ସ୍ୱାସ୍ଥ୍ୟସେବା ପାଇଁ ଜେନେରିକ୍ ଔଷଧକୁ ପ୍ରୋତ୍ସାହିତ କରୁଥିବାବେଳେ, ଏହାର ଗୁଣବତ୍ତା ଏବଂ ଯୋଗାଣ ଶୃଙ୍ଖଳା ସମସ୍ୟା ଯୋଗୁଁ ଲୋକଙ୍କ ମଧ୍ୟରେ ଅବିଶ୍ୱାସ ବଢ଼ୁଛି।

ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଦ୍ୱାରା ଅଧିକ ସଂଖ୍ୟକ ‘ମାନକ ନଥିବା ଗୁଣବତ୍ତା’ ଔଷଧ ତାଲିକାଭୁକ୍ତ ହେବା ପରେ ଜେନେରିକ୍ ଔଷଧର ନିରାପତ୍ତା ଓ ପ୍ରଭାବ ଉପରେ ରୋଗୀ ଏବଂ ଡାକ୍ତରୀ ସମ୍ପ୍ରଦାୟର ଆଶଙ୍କା ବଢ଼ିଛି।

ଅନେକ ଜେନେରିକ୍ ଉତ୍ପାଦନକାରୀ କମ୍ପାନୀ ମାନକ ଗୁଣବତ୍ତା ବଜାୟ ରଖିବାରେ ବିଫଳ ହେଉଛନ୍ତି। ଏଥିସହ, ବ୍ରାଣ୍ଡେଡ୍ କମ୍ପାନୀଗୁଡ଼ିକ ଉତ୍ପାଦନକୁ ଆଉଟସୋର୍ସିଂ କରିବା ଦ୍ୱାରା ଗୁଣବତ୍ତା ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହେଉଛି।

ସରକାରୀ ଜନଔଷଧି କେନ୍ଦ୍ର (JAK)ରେ ମଧ୍ୟ ବହୁ ସମୟରେ ଔଷଧ ମିଳୁନଥିବା ଏବଂ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ଆସୁଛି, ଯାହା ଫଳରେ ରୋଗୀମାନେ ବ୍ରାଣ୍ଡେଡ୍ ଔଷଧ ପାଇଁ ଘରୋଇ ଫାର୍ମାସିକୁ ଯିବାକୁ ବାଧ୍ୟ ହେଉଛନ୍ତି।

ବ୍ରାଣ୍ଡେଡ୍ ଔଷଧ ବଜାରରେ ଉତ୍ପାଦନକାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ଅଧିକ କମିଶନ ମିଳୁଛି। ଏହି ବ୍ୟବସ୍ଥା ଡାକ୍ତର ଏବଂ ଫାର୍ମାସିଷ୍ଟମାନଙ୍କୁ ଜେନେରିକ୍ ପରିବର୍ତ୍ତେ ବ୍ରାଣ୍ଡେଡ୍ ଔଷଧକୁ ପ୍ରୋତ୍ସାହିତ କରିବା ପାଇଁ ଶକ୍ତିଶାଳୀ ପ୍ରୋତ୍ସାହନ ଯୋଗାଉଛି।

ବ୍ରାଣ୍ଡେଡ୍ କମ୍ପାନୀଗୁଡ଼ିକ ପ୍ରଚାର ପ୍ରସାରରେ ବହୁଳ ପରିମାଣରେ ଖର୍ଚ୍ଚ କରୁଛନ୍ତି, ଯାହାଦ୍ୱାରା ଉଭୟ ଡାକ୍ତର ଓ ଗ୍ରାହକ ଏହି ଔଷଧ ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି। ସେପଟେ ଔଷଧ ଖର୍ଚ୍ଚ କମାଇବା ପାଇଁ ସରକାର ଜେନେରିକ୍ ଔଷଧ ଲେଖିବା ବାଧ୍ୟତାମୂଳକ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ବ୍ୟବହାରିକ ଏବଂ ଆଇନଗତ ଆହ୍ୱାନର ସମ୍ମୁଖୀନ ହେଉଛି।

ତେବେ ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ବିଶ୍ୱାସ ବଢ଼ାଇବା ପାଇଁ ଏକାଧିକ ବ୍ରାଣ୍ଡ୍ ନାମରେ ଜେନେରିକ୍ ଔଷଧର ବିକ୍ରିକୁ ବନ୍ଦ କରିବା, ଉତ୍ପାଦନକାରୀଙ୍କ ପାଇଁ WHO-GMP ନିୟମକୁ କଡାକଡି କରିବା ଏବଂ ଜେନେରିକ୍ ଔଷଧର ବାୟୋଇକ୍ୱିଭାଲେନ୍ସ ତଥ୍ୟକୁ ସହଜରେ ଉପଲବ୍ଧ କରାଇବାକୁ ଆଲୋଚନା ଚାଲିଛି।

ଆଗାମୀ ଦିନରେ ଉନ୍ନତମାନର ଜେନେରିକ୍ ଔଷଧର ପ୍ରଭାବଶାଳୀତା ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦେବା ଏବଂ ଗୁଣବତ୍ତା ନିୟନ୍ତ୍ରଣକୁ ମଜବୁତ କରିବା ଅତ୍ୟନ୍ତ ଜରୁରୀ। ଡାକ୍ତରମାନେ ସୁଲଭ ସ୍ୱାସ୍ଥ୍ୟସେବା ପାଇଁ ଜେନେରିକ୍ ଔଷଧ ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ କୁହାଯାଇଛି।

Share