ଗାଁରୁ ସହରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ: ହଇରାଣ ଭୋଗୁଛନ୍ତି ପଞ୍ଚାୟତବାସୀ

ଦାରିଙ୍ଗବାଡି, ୩।୮ (ଅରୁଣ ସାହୁ): ଗାଁକୁ ସହର ସଂଯୋଗ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ଉଭୟ ସରକାର ଗୁରୁତ୍ୱାରୋପ ଦେଉଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଅବହେଳିତ ରହିଛି ପଞ୍ଚାୟତ ଅଧୀନରେ ଥିବା ଗାଁ ଓ ସାହି ରାସ୍ତା। କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ।

ଓଡିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ସେହିପରି ଦାରିଙ୍ଗବାଡି ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରହିଥିବାରୁ ସମିତି କାର୍ଯ୍ୟାଳୟକୁ ଦୈନିକ ଶହ ଶହ ଅଞ୍ଚଳବାସୀ ଆସୁଥିବାସ୍‌ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ତହସିଲ କାର୍ଯ୍ୟାଳୟ ସମେତ ୨୫ ପଞ୍ଚାୟତର ଜନସାଧାରଣ ଦାରିଙ୍ଗବାଡି ଆସିଥାନ୍ତି। ଏଥିସହ ବଜାର ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ଦାରିଙ୍ଗବାଡି ବଜାରକୁ ଆସିବା ସମୟରେ ପଥୁରିଆ ଖାଲଖମା ରାସ୍ତାରେ ଯାତାୟାତ କରୁଛନ୍ତି। ଫଳରେ ବିଦ୍ୟାଳୟ ଯାତାୟାତ କରୁଥିବା ଛାତ୍ରୀଛାତ୍ର, ରୋଗୀମାନେ ହଇରାଣ ହେବା ସହ ପଥୁରିଆ ରାସ୍ତାରେ ଯାତାୟାତ କରୁଥିବା ବାଇକ ଚାଳକ ଓ ଅନ୍ୟମାନେ ଅସୁବିଧା ଭୋଗୁଛନ୍ତି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ କୁମାର ରଥ କହିଛନ୍ତି, ସେ ଏବେ ନୂତନ ଭାବେ ପଞ୍ଚାୟତ କାର୍ଯ୍ୟାଳୟର ଦାୟିତ୍ୱ ନେଇଛନ୍ତି। ସେ କିଛି ଗ୍ରାମ ବୁଲି ଦେଖିଛନ୍ତି। ରାସ୍ତା ମରାମତି ଓ ସମ୍ପ୍ରସାରଣ ନିହାତି ଆବଶ୍ୟକ ରହିଛି। ସର୍ଭେ କରି ରିପୋର୍ଟ ପଠାଯିବ। ଅନୁଦାନ ଆସିଲେ ରାସ୍ତାର ମରାମତି ଓ ସମ୍ପ୍ରସାରଣ କରାଯିବ ବୋଲି କହିଛନ୍ତି।