କରଣ ଜୋହରଙ୍କ ଏହି ଫିଲ୍ମରେ ସ୍ବାମୀ ହର୍ଷଙ୍କ ସହ ନଜର ଆସିବେ କମେଡି କୁଇନ୍‌

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ଭାରତୀ ସିଂ ତାଙ୍କ ପ୍ରଶଂସକଙ୍କୁ ହସେଇବା ପାଇଁ କୌଣସି ମୌକା ହାତ ଛଡା କରନ୍ତି ନାହିଁ। ଭାରତୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। କିଛି ନା କିଛି ଫୋଟା ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ଖୁବ୍‌ ହସେଇଥାନ୍ତି। ବର୍ତ୍ତମାନ ତାଙ୍କୁ ସ୍ବାମୀ ହର୍ଷଙ୍କ ସହ ଏକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଯାହାକୁ ନେଇ ଚଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ପିଙ୍କଭିଲ୍ଲାକୁ ଦେଇଥିବା ଏକ ସାକ୍ଷାତକାରରେ କମେଡି କୁଇନ୍‌ ପ୍ରକାଶ କରିଛନ୍ତି ଯେ, କରଣ ଜୋହରଙ୍କ ଫିଲ୍ମ ‘ ରକି ଅର ରାନୀ କି ପ୍ରେମ କାହାଣୀ’ରେ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କ ସହ ଏକ କ୍ୟାମୋ ଭୂମିକାରେ ଅଭିନୟ କରୁଛନ୍ତି।

ପ୍ରଶଂସକମାନେ ଉତ୍ସାହର ସହିତ କରଣ ଜୋହରଙ୍କ ଫିଲ୍ମ ‘ ରକି ଅର ରାନୀ କି ପ୍ରେମ କାହାଣୀ’କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର ରକି ଭୂମିକାରେ ନଜର ଆସିଥିବାବେଳେ ଆଲିଆ ରାନୀ ଚାଟାର୍ଜୀଙ୍କ ଭୂମିକାରେ ନଜର ଆସିବେ। କରଣ ଜୋହର ‘ ରକି ଅର ରାନୀ କି ପ୍ରେମ କାହାଣୀ’ମାଧ୍ୟମରେ ଦୀର୍ଘ ସମୟ ପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଫିଲ୍ମରେ ଆଲିଆ ଏବଂ ରଣବୀରଙ୍କ ବ୍ୟତିତ ଭେଟେରାନ ଅଭିନେତା ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀ, ସାଶ୍ୱତା ଚାଟାର୍ଜୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ‘ରକି ଅର ରାନୀ କି ପ୍ରେମ କାହାଣୀ’ ୨୦୨୩ ଜୁଲାଇ ୨୮ରେ ପ୍ରେକ୍ଷାଳୟକୁ ଆସିବ।