Categories: HomeHome Left

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା ଠାକୁରାଣୀ ଯାତ୍ରା ଉପରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବିଧାୟକ ନାୟକ ଆଲୋଚନାରେ ଭାଗ ନେଇ ଆସନ୍ତା ଯାତ୍ରାର ବିଭିନ୍ନ
ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗଦେବେ ବୋଲି କହିଥିଲେ। ଭଞ୍ଜନଗର ଠାକୁରାଣୀ ଯାତ୍ରା ୨୦୦ ବର୍ଷର ଇତିହାସ। ତେଣୁ ଚଳିତ ବର୍ଷର ଯାତ୍ରା ଆକର୍ଷଣୀୟ କରାଯିବ ବୋଲି ବିଧାୟକ କହିଥିଲେ। ଉପଜିଲାପାଳ ଉମାଶଙ୍କର ବେହେରା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେନେଇ କହିଥିଲେ। ଗତ ଯାତ୍ରାରେ ବାଣ ଏବଂ ବିଦ୍ୟୁତ୍‌ ଦୁର୍ଘଟଣା ଘଟିଥିଲା।

ଚଳିତ ବର୍ଷ ତାହାର ପୁନରାବୃତ୍ତି ଯେଭଳି ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ। ମା’ଙ୍କ ଅସ୍ଥାୟୀ ମନ୍ଦିର ପାଇଁ ମୁଖ୍ୟ ସଡ଼କର ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ରହିବ। ପୁରୁଣା ଜେଲ ଏବଂ ଇଣ୍ଡୋର ଷ୍ଟାଡିୟମ ପରିସରରେ ପାର୍କିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଯାତ୍ରା ସମୟରେ ଦମକଳ ବାହିନୀ କର୍ମଚାରୀ ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଯାତ୍ରା ସମୟରେ ସହରକୁ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ହେବ। ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା କେତେକ ରାସ୍ତାରେ ରହୁଛି। ତେଣୁ ମୁଖ୍ୟ ସଡ଼କ, ରେଡକ୍ରସ ରୋଡ୍‌ ସମେତ କେତେକ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ହେବ। ଦେଶୀ ବେହେରାଙ୍କ ବାସଭବନ ସମେତ ସହରର ଅନ୍ୟାନ୍ୟ ଅଞ୍ଚଳରେ ଘୁଷୁରି ଚଳପ୍ରଚଳ ବଢୁଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ। ସହରର ବିଭିନ୍ନ ସ୍ଥାନରେ ଚିତ୍ର କରାଯିବ। ସଫେଇ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ସହରର ବିଭିନ୍ନ ସାହି ଗଳି କନ୍ଦିରେ ଓହଳି ରହିଥିବା ବିଦ୍ୟୁତ୍‌ ତାର ଗୁଡ଼ିକ ଠିକ୍‌ ଭାବେ ଟାଣିବା ପାଇଁ ପଦକ୍ଷେପ ନିଆଯିବ। ୨୪ ଘଣ୍ଟିଆ ବିଦ୍ୟୁତ ସେବା ପ୍ରତି ଧ୍ୟାନ ଦିଆଯିବ। ଅସାମାଜିକ ବ୍ୟକ୍ତିଙ୍କ ଉପରେ ସ୍ବତନ୍ତ୍ର ନଜର ରହିବ। ଯାତ୍ରା ସମୟରେ ରନ୍ଧନ ଗ୍ୟାସ୍‌ କିଭଳି ଉପଭୋକ୍ତାଙ୍କୁ ସୁବିଧାରେ ମିଳିପାରିବ ସେ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକ, ଅତିରିକ୍ତ ସବ୍‌କଲେକ୍ଟର ତୁଲିଅମା ପ୍ରଧାନ, ଡେପୁଟୀ କଲେକ୍ଟର ରଚିତା ମହାପାତ୍ର, ଏସ୍‌ଡିପିଓ ଡ ଦୀପକ କୁମାର ମିଶ୍ର, ମେଡିକାଲ ଅଧୀକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ,ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି,ସହକାରୀ ଜିଲାପାଳ ରାମଚନ୍ଦ୍ର ମହାପାତ୍ର, ଫକୀର ଜ୍ୟୋତି ନାୟକ, ଚନ୍ଦ୍ରଗିରି ଗାୟତ୍ରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ, ଯାତ୍ରା କମିଟି ଉପସଭାପତି ମୁରଲୀ ପଣ୍ଡା, ଶାନ୍ତନୁ କୁମାର ଦାସ,ଡି ଚେଲପତି ରାଓ,ସମ୍ପାଦକ ସୁଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବେହେରା, ଜଗଦୀଶ ପାଣିଗ୍ରାହୀ, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଫାୟାର ଅଫିସର ଚକ୍ରଧର କହଁର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Share