ନୂଆଦିଲ୍ଲୀ,୧୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ରାଜ ରାସ୍ତାରେ ଜଣେ ସାଧାରଣ ନାଗରିକଙ୍କୁ କିଛି ନିବେଦନ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଶନିବାର ସକାଳୁ ମୁଁ ଭ୍ରମଣ ସମୟରେ ଦେଖିଲି ଜଣେ ବ୍ୟକ୍ତି ଗାଈକୁ ଖାଇବାକୁ ଦେବା ଉଦ୍ଦେଶ୍ୟରେ ରାସ୍ତା ଉପରେ ଗାଡ଼ିରେ ରହି ‘ରୁଟି’ ପକାଉଛନ୍ତି। ହୁଏତ ସେ ଭୋକିଲା ପ୍ରାଣୀଙ୍କୁ ରୁଟି ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଏପରି ନ କରିବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି। ଆଉ କହିଥିଲି ରୁଟି ପକାଇବା ଦ୍ୱାରା ଗୋମାତା ରାସ୍ତା ଉପରକୁ ଚାଲି ଆସୁଛନ୍ତି, ଫଳରେ ଏହା କେବଳ ତାଙ୍କ ଜୀବନ ନୁହେଁ ବରଂ ଆମମାନଙ୍କ ଜୀବନକୁ ବି ବିପଦରେ ପକାଉଛି। ତେଣୁ ଏମିତି କରନ୍ତୁ ନାହିଁ।
ଅନ୍ୟପଟେ ରୁଟି କେବଳ ଆମର ଖାଦ୍ୟ ନୁହେଁ ଏହା ଆମର ସଂସ୍କୃତି, ବିଶ୍ୱାସ ଓ ସମ୍ମାନର ପ୍ରତିକ। ତେଣୁ ପ୍ରତ୍ୟେକ ଦିଲ୍ଲୀବାସୀଙ୍କୁ ମୋର ଅନୁରୋଧ ଏପରି କରନ୍ତୁ ନାହିଁ, ଯଦି ଭୋକିଲା ପ୍ରାଣୀଙ୍କୁ ଖାଇବାକୁ ଦେବାକୁ ଅଛି ତେବେ ଏହା ଏକ ଭଲ କାମ। ଆପଣ ଗୋଶାଳା ବା ଏକ ନିର୍ଦ୍ଦିଷ୍ଟ ସ୍ଥାନ ବାଛି ସେମାନଙ୍କୁ ଖାଇବାକୁ ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏପରି ନିବେଦନର ଏକ ଭିଡିଓ ଏବେ ଭାଇରାଲ ହେଉଛି।