ରାଜଧାନୀର ପରିବର୍ତ୍ତିତ ପରିବେଶ

ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ନୂତନ ରାଜଧାନୀ ରୂପେ ସ୍ବୀକୃତି ହାସଲ କରିଥିଲା। ପ୍ରାରମ୍ଭରେ ପଚାଶ ହଜାର ଲୋକଙ୍କର ସହାବସ୍ଥାନ ନିମନ୍ତେ ଜର୍ମାନ୍‌ ସ୍ଥପତି ଅଟ୍ଟୋ କୋନିସ୍‌ବର୍ଗରଙ୍କ ଦ୍ୱାରା ପରିକଳ୍ପିତ ହୋଇଥିବା ଏହି ସହର ଏକ ଯୋଜନାବଦ୍ଧ, ଆକର୍ଷଣୀୟ, ଆଧୁନିକ ସହରର ମାନ୍ୟତା ହାସଲ କରିଛି। ତେବେ, ସମୟ ସ୍ରୋତରେ ଏହି ସହରର ପରିବେଶ ଯେପରି କ୍ରମ ଅଧୋଗତିର ଶିକାର ହୋଇଚାଲିଛି, ତାହା ପ୍ରକୃତିପ୍ରେମୀ ଓ ପରିବେଶ ସଚେତନ ନାଗରିକଙ୍କୁ ବ୍ୟଥିତ କରୁଛି।
ସହରୀକରଣ ପ୍ରକ୍ରିୟାରେ ଅନିୟନ୍ତ୍ରିତ ଭାବେ ସମ୍ପ୍ରସାରିତ ହେଉଥିବା ବିକାଶଶୀଳ ରାଷ୍ଟ୍ରମାନଙ୍କର ସହରାଞ୍ଚଳରେ ଯେପରି ବାସଗୃହ ନିଅଣ୍ଟ, ବିବିଧ ପ୍ରଦୂଷଣ, ବର୍ଜ୍ୟ ପଦାର୍ଥ ନିଷ୍କାସନ, ଜୈବବିବିଧତାର ଅବକ୍ଷୟ, ଉତ୍ତାପ ଦ୍ୱୀପ ପ୍ରଭାବ ଏବଂ ସାମାଜିକ ତଥା ଅର୍ଥନୈତିକ ସମସ୍ୟା ଇତ୍ୟାଦି ଏସବୁକୁ ବାସୋପଯୋଗୀ ହେବାରୁ ବଞ୍ଚିତ କରନ୍ତି, ସମ୍ବେଦନଶୀଳତାର ଅଭାବରୁ ଆମ ରାଜଧାନୀ ମଧ୍ୟ ସେହି ଦିଗରେ କ୍ରମ ଅଗ୍ରସର ହେଉଛି। ଜାତିସଙ୍ଘ ଆକଳନ ଅନୁଯାୟୀ ୨୦୨୦ ବେଳକୁ ସହରାଞ୍ଚଳରେ ବିଶ୍ୱ ଜନସଂଖ୍ୟାର ୫୬.୨% ବସବାସ କରୁଥିଲା ବେଳେ ଆଗାମୀ ୨୦୫୦ରେ ୬୮% ଲୋକ ଜୀବନଯାପନ କରିବେ। ସେହି ପରିପ୍ରେକ୍ଷୀରେ, ପ୍ରଥମେ ବିଜ୍ଞାପିତ ଅଞ୍ଚଳ, ପରେ ପୌରସଂସ୍ଥା ଏବଂ ପରିଶେଷରେ ମହାନଗର ନିଗମ ରୂପେ ଆଖ୍ୟାୟିତ ହୋଇଥିବା ଭୁବନେଶ୍ୱର ସହରର ସମ୍ପ୍ରସାରଣ ସହ ଜନସଂଖ୍ୟା ମଧ୍ୟ ବିସ୍ଫୋରିତ ହୋଇ ଏହାର ୬୭ଟି ୱାର୍ଡରେ ୧୫ ଲକ୍ଷର ନିକଟବର୍ତ୍ତୀ ହେଲାଣି ।  ସମାନ୍ତରାଳ ଭାବେ କଂକ୍ରିଟ ଅଟ୍ଟାଳିକା ଓ ଅନ୍ୟାନ୍ୟ ଭିତ୍ତିଭୂମି ବୃଦ୍ଧିପ୍ରାପ୍ତ ହେଉଛି। ସବୁଜିମାଭରା ପ୍ରକୃତି ଅବକ୍ଷୟିତ ହେଉଛି, ସ୍ଥାନୀୟ ବୃକ୍ଷଲତା ଓ ଜୀବଜନ୍ତୁ ହଜି ଯାଉଛନ୍ତି । ଚନ୍ଦକା ଜଙ୍ଗଲ ସଙ୍କୁଚିତ ହୋଇଚାଲିଛି। ଭିତ୍ତିଭୂମି ଓ ବାସଗୃହ ନିର୍ମାଣ ତଥା ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ନିମନ୍ତେ ବହୁସଂଖ୍ୟାରେ ପୁରାତନ ବୃକ୍ଷମାନ ବଳିପଡୁଛନ୍ତି। ପ୍ରାକୃତିକ ଝରଣା, ଜଳାଶୟ, ନାଳ ଇତ୍ୟାଦି ଜଳ ଉତ୍ସମାନ ଜବରଦଖଲ ପ୍ରକ୍ରିୟାରେ ସହରରୁ ଉଭାନ ହୋଇ ସେହି ସ୍ଥାନରେ ସୁଉଚ୍ଚ ଅଟ୍ଟାଳିକାମାନ ସ୍ଥାପିତ ହେଉଛି। ଏସବୁର ପରିଣାମରେ ସହରର ତାପମାତ୍ରା ଚତୁଃପାର୍ଶ୍ୱ ଗ୍ରାମାଞ୍ଚଳଠାରୁ ୨-୩ ଡିଗ୍ରୀ ସେଲସିୟସ୍‌ ଅଧିକ ବୃଦ୍ଧି ପାଇ ‘ଉତ୍ତାପ ଦ୍ବୀପ ପ୍ରଭାବ’କୁ ପ୍ରଖର କରୁଛି ଏବଂ ଗ୍ରୀଷ୍ମପ୍ରବାହ ସମୟରେ ବେଳେବେଳେ ଏହା ୪୫ ଡିଗ୍ରୀ ଅତିକ୍ରମ କରୁଛି। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଓ ତ୍ୱରିତ ବନ୍ୟା ପରିସ୍ଥିତି ସହରରେ ସୃଷ୍ଟି ହେଉଛି। ଜଳ ନିଷ୍କାସନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିବାରୁ ଅନେକ ଅଞ୍ଚଳ ଓ ରାସ୍ତାଘାଟ ବନ୍ୟାରେ ଜଳମଗ୍ନ ହୋଇ ଅଧିବାସୀଙ୍କ ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରୁଛି। ଅନ୍ୟ ଏକ ଦିଗ ହେଉଛି କର୍ମ ଅନ୍ବେଷଣରେ ଗ୍ରାମାଞ୍ଚଳରୁ ସ୍ଥାନାନ୍ତରିତ ହୋଇ ଆସୁଥିବା ଶ୍ରମିକ ଶ୍ରେଣୀର ଗରିବ ଲୋକଙ୍କ ଦ୍ୱାରା ସହର ମଧ୍ୟରେ ଖାଲି ସରକାରୀ ଜମିରେ ବିପର୍ଯ୍ୟସ୍ତ ଭାବେ ୪୩୬ଟି ବସ୍ତି ଗଢ଼ିଉଠିଛି, ଯାହା ୩ ଲକ୍ଷରୁ ଅଧିକ ଲୋକଙ୍କର ବାସସ୍ଥଳୀ ପାଲଟିଛି।
ପରିବେଶ ମାନଦଣ୍ଡକୁ ଉପେକ୍ଷା କରିଥିବା ଓଡ଼ିଶାର ସାତଟି ସହର ତାଲିକାରେ ଭୁବନେଶ୍ୱର ଅନ୍ତର୍ଭୁକ୍ତ ଅଛି, ଯାହା ବାୟୁମଣ୍ଡଳର ଗୁଣବତ୍ତା ମଧ୍ୟମ ସ୍ତରରେ ଥିବାକୁ ସୂଚିତ କରେ। ସହରରେ ଗମନାଗମନ ନିମନ୍ତେ ସାଧାରଣ ପରିବହନ ବ୍ୟବସ୍ଥା ଏପର୍ଯ୍ୟନ୍ତ ଆବଶ୍ୟକ ସଫଳତା ହାସଲଠାରୁ ଦୂରରେ ରହିଛି। ପ୍ରାୟତଃ ୧୩ ଲକ୍ଷରୁ ଅଧିକ ସଂଖ୍ୟାରେ ଚାଲୁଥିବା ଯାନବାହନ ପ୍ରଦୂଷଣର ଏକ ପ୍ରମୁଖ କାରଣ ପାଲଟିଛି, ଯେଉଁଥିପାଇଁ ନିକଟରେ ବିଦ୍ୟୁତ୍‌ଚାଳିତ ବସ୍‌ ଓ ଅନ୍ୟ ଯାନର ବହୁଳ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ସହରର ବିଭିନ୍ନ ଉତ୍ସରୁ ପ୍ରତିଦିନ ପ୍ରାୟ ୬୦୦ ଟନ୍‌ ପୌରାଞ୍ଚଳ ବର୍ଜ୍ୟ ପଦାର୍ଥ ନିର୍ଗତ ହେଉଛି, ଯାହା ମହାନଗର ପ୍ରଶାସନ ନିମନ୍ତେ ଆହ୍ବାନ ସୃଷ୍ଟିକରିଛି। ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା କାରଣରୁ ସୈନିକ ସ୍କୁଲ ପଛ ଏବଂ ଭୁଆସୁଣୀ ଡମ୍ପିଂ ୟାର୍ଡରେ ମଇଳାର ପାହାଡ଼ ସୃଷ୍ଟି ହେଉଛି। ଅବଶ୍ୟ, ସ୍ଥାପିତ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରଗୁଡ଼ିକ କିଛିମାତ୍ରାରେ ଜୈବିକ ଖତ ସୃଷ୍ଟିରେ ସହାୟକ ହେଉଛନ୍ତି।
ବର୍ଜ୍ୟ ପଦାର୍ଥ ସୃଷ୍ଟି ଯେତେ ପ୍ରତିରୋଧିତ ହେବ, ନିଷ୍କାସନ ସମସ୍ୟା ସେତେ ହ୍ରାସ ପାଇବ; ଏଥିରେ ପ୍ରଶାସନ, ସାମାଜିକ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଅନ୍ୟପକ୍ଷରେ ସହରରୁ ନିର୍ଗତ ପ୍ରଦୂଷିତ ଜଳ ପ୍ରକ୍ରିୟାକରଣ ନ ହୋଇ ଗଙ୍ଗୁଆ ନାଳ ଓ ଅନ୍ୟ ନାଳ ମାଧ୍ୟମରେ ଦୟା ଏବଂ କୁଆଖାଇ ନଦୀକୁ ପ୍ରବାହିତ ହୋଇ ଜନସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟିଛି।
ଏପରି ପୃଷ୍ଠଭୂମିରେ ୨୦୨୧ର କେନ୍ଦ୍ରୀୟ ସ୍ବଚ୍ଛ ସର୍ବେକ୍ଷଣ ସୂଚୀରେ ଭୁବନେଶ୍ୱରର ସ୍ଥାନ ନିମ୍ନଆଡ଼ୁ ୧୪୪ ଥିଲାବେଳେ କଟକ ୧୬୨ ଏବଂ ବ୍ରହ୍ମପୁର ୫୬ ସ୍ଥାନରେ ଥିଲେ। ପୁନରାୟ, ୨୦୧୬ରେ ସ୍ମାର୍ଟ ସିଟି ସୂଚୀରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଆମ ରାଜଧାନୀ ୨୦୨୧ରେ ୨୨ତମ ସ୍ଥାନକୁ ଖସିଛି। ଏହା ସହରର ପରିବେଶୀୟ ଗୁଣବତ୍ତା ବଜାୟ ରଖିବାରେ ପ୍ରଶାସନିକ କାର୍ଯ୍ୟକାରିତାର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଭୁବନେଶ୍ୱର ଏକ ଗୁଣାତ୍ମକ ମାନ ବହନକାରୀ, ସ୍ବଚ୍ଛ, ସବୁଜ, ସୁନ୍ଦର ବାସୋପଯୋଗୀ ସହରର ମାନ୍ୟତା ବଜାୟ ରଖିବା ଦରକାର। ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ କଂକ୍ରିଟ ସହର ନୁହେଁ ବରଂ ଏକ ସବୁଜିମା ପରିପୂର୍ଣ୍ଣ, ପ୍ରକୃତିଭରା, ଗୁଣାତ୍ମକ ପରିବେଶର ଆବାସସ୍ଥଳୀ ରୂପେ ଗଢ଼ି ତୋଳିବାକୁ ସରକାରଙ୍କଠାରୁ ଅନୁଷ୍ଠାନ, ଗୋଷ୍ଠୀ ଏବଂ ବ୍ୟକ୍ତିବିଶେଷ ସମସ୍ତଙ୍କର ଅବଦାନ ଅବ୍ୟାହତ ରଖିବା ଆମର ନୈତିକ କର୍ତ୍ତବ୍ୟ। ନାଗରିକମାନଙ୍କର ଜୀବନଧାରଣର ମାନ, ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଅଙ୍ଗାରକାମ୍ଳ ନିର୍ଗମନ, ବାୟୁ ପ୍ରଦୂଷଣ, ଅକ୍ଷୟ ଏବଂ ସବୁଜ ଶକ୍ତିର ବିନିଯୋଗ, ଅର୍ଥନୈତିକ ସମୃଦ୍ଧି ଏବଂ ସର୍ବୋପରି କାର୍ଯ୍ୟଧାରା ଓ ଜୀବନଯାପନ ମଧ୍ୟରେ ସନ୍ତୁଳନ ରକ୍ଷା ପରି ଦିଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ପ୍ରୟୋଜନୀୟ। କେନ୍ଦ୍ର ସରକାରଙ୍କ ଘୋଷିତ ନଗର ବନ ଯୋଜନାର କାର୍ଯ୍ୟକାରିତା ମାଧ୍ୟମରେ ସହର ମଧ୍ୟରେ କ୍ଷୁଦ୍ର ଜଙ୍ଗଲମାନ ସୃଷ୍ଟି କରାଯାଇ ପ୍ରାକୃତିକତା ଓ ଜୈବବିବିଧତା ବୃଦ୍ଧି ସହ ଏକ ସନ୍ତୁଳିତ, ସମୃଦ୍ଧ ପରିବେଶ ସ୍ଥାପନ ତଥା ସହରବାସୀଙ୍କ ମନୋରଞ୍ଜନ ନିମନ୍ତେ ଏକ ଜୀବନ୍ତ ଉତ୍ସ ହୋଇପାରିବ। ଜାତିସଙ୍ଘର ସହନୀୟ ବିକାଶ ଲକ୍ଷ୍ୟ ୧୧ରେ ସହର ଏବଂ ମାନବ ବସତିକୁ ଅନ୍ତର୍ଭୁକ୍ତ, ନିରାପଦ, ସ୍ଥିର ଏବଂ ନିରନ୍ତର କରିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ୟୁନେସ୍କୋ ବିଶ୍ୱ ଐତିହ୍ୟ ସହର ମାନ୍ୟତା ହାସଲ ଅପେକ୍ଷାରେ ଥିବା ତଥା ଶିକ୍ଷା, ଆଇଟି ଏବଂ ସ୍ବାସ୍ଥ୍ୟସେବାର ଏକ ହବ୍‌ ପାଲଟିବାକୁ ଯାଉଥିବା ଏହି ସହରକୁ ଏକ ଆକର୍ଷଣୀୟ, ବାସୋପଯୋଗୀ ନଗରରେ ପରିଣତ କରିବାକୁ ପଡ଼ିବ। ଏଣୁ ଆଇଆଇଟି ଖଡ଼ଗପୁର ଦ୍ୱାରା ପ୍ରସ୍ତୁତ ଭୁବନେଶ୍ୱର-କଟକ ନଗର କମ୍ପ୍ଲେକ୍ସ-ଭିଜନ ୨୦୩୦ର ମାଷ୍ଟର ପ୍ଲାନ୍‌ର କାର୍ଯ୍ୟକାରିତାରେ ଏସବୁକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବା ବିଧେୟ।

  • ଡ. ଜୟକୃଷ୍ଣ ପାଣିଗ୍ରାହୀ
    ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର, ମୋ-୯୪୩୭୦୭୬୧୦୦