ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରୀଗାଁ ପଞ୍ଚାୟତ ଅନ୍ତର୍ଗତ ଜନଜାତିବହୁଳ ଡିକିଲି ଗ୍ରାମରେ ସୋମବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଘର ବୁଲି ଚୁଡ଼ି ବିକ୍ରି କରୁଥିବା ସମୟରେ ଜଣେ ବ୍ୟବସାୟୀ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ହେଲେ ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମର ଅର୍ଜୁନ ସାହୁ(୫୫) । ଅର୍ଜୁନ ସବୁଦିନ ଭଳି ସୋମବାର ସକାଳୁ ଚୁଡ଼ି ବିକ୍ରି ନିମନ୍ତେ ବ୍ୟାଗ ଧରି ଡିକିଲି ଗ୍ରାମକୁ ଯାଇଥିଲେ । ସେଠାରେ ସେ କିଛି ଘରର ମହିଳାମାନଙ୍କୁ ମନ ପସନ୍ଦର ଚୁଡ଼ି ବିକ୍ରି ମଧ୍ୟ କରିଥିଲେ । ଏହାପରେ ସେ ନିଜ ବାଇକ ନିକଟକୁ ଚୁଡ଼ି ଥିବା ବ୍ୟାଗ ଧରି ଆସି ବ୍ୟାଗକୁ ରଖିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ରାସ୍ତା ଉପରେ ଅଚେତ୍ ହୋଇ ପଡିଯାଇଥିଲେ । ଖବରପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଗ୍ରାମକୁ ନେଇଯାଇଥିଲେ। ଅପରାହ୍ନରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡିଛି ।