ଅମରାବତୀ,୨୬ା୧୧: ଆଖିରେ ଆଖିଏ ସ୍ବପ୍ନ ନେଇ ବିବାହ କରିବାକୁ ଆସିଥିଲେ ବର। ସାହାନାଇ ଶବ୍ଦରେ ପ୍ରତିଧ୍ୱନିତ୍ୱ ହେଉଥିଲା ବେଦୀ ଚାରି ପାଖ। ବନ୍ଧୁବାନ୍ଧବ ହସଖୁସିରେ ବିବାହ ଉତ୍ସବକୁ ଉପଭୋଗ କରୁଥିଲେ। ଠିକ୍ ଏହି ସମୟରେ ଘଟିଗଲା ଏକ ବଡ଼ ଅଘଟଣ। ବରଙ୍କ ବେକରେ କନ୍ୟା ବରଣମାଳା ପିନ୍ଧାଇବା ସମୟରେ ବରଙ୍କୁ ହୃଦ୍ଘାତ ଆସିଥିଲା। ସେ ବେଦୀ ଉପରେ ହିଁ ଟଳିପଡ଼ିଥିଲେ। ଫଳରେ ଆନନ୍ଦର ପରିବେଶ ନିମିଷକରେ ଶୋକରେ ବୁଡ଼ିଗଲା। ଏପରି ଦୁଃଖଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଭାରୁଡରେ। ବିବାହର ମାତ୍ର ଅଧ ଘଣ୍ଟା ପରେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି ବର। କନ୍ୟା ସମେତ ସମଗ୍ର ପରିବାର ଦୁଃଖରେ ଭଙ୍ଗିପଡ଼ିଛନ୍ତି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ମୃତ ବରଙ୍କ ନାଁ ଅମୋଲ ପରମେଶ୍ୱର। ସେ ଅମରାବତୀର ଭାରୁଡ ତାଲୁକାର ପୁସ୍ଲା ତଲାଥି କାର୍ଯ୍ୟାଳୟରେ ପୋଲିସ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ। ପୂର୍ବ ଦିନ (ନଭେମ୍ବର ୨୫ରେ) ତାଙ୍କ ଜୀବନର ଏକ ବିଶେଷ ଦିନ ଥିଲା। ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ରୀତିନୀତି ସମାପ୍ତ ହୋଇଥିଲା ଏବଂ ଅତିଥିମାନେ ଭୋଜନର ମଜା ନେଇଥିଲେ। କିଛି ଲୋକ ଶୁଭେଚ୍ଛା ଜଣାଇବା ପାଇଁ ବର ଏବଂ କନ୍ୟାଙ୍କୁ ମଧ୍ୟ ଭେଟିଥିଲେ।
ଯେତେବେଳେ ନବଦମ୍ପତି ମଞ୍ଚ ଉପରେ ଠିଆ ହୋଇଥିଲେ। ସେ ସମୟରେ ବରଙ୍କର ହୃଦ୍ଘାତ ହୋଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ। ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଅନ୍ୟମାନଙ୍କ ସହାୟତାରେ ସମ୍ପର୍କୀୟମାନେ ଅମୋଲଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହୃଦୟ ବିଦାରକ ଘଟଣାରେ ଭାଙ୍ଗି ପଡ଼ିଛନ୍ତି କନ୍ୟା। ଯାହାଙ୍କୁ ସେ ଅଧ ଘଣ୍ଟା ପୂର୍ବରୁ ବିବାହ କରିଥିଲେ, ଯାହାଙ୍କ ସହିତ ସେ ସାତଫେରା ନେଇଥିଲେ, ସେ ତାଙ୍କୁ ଛାଡ଼ି ମାତ୍ର ଅଧ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କଲେ। ଏହି ଦୁଃଖଦ ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯାହା ସମସ୍ତଙ୍କ ଆଖି ଓଦା କରିଦେଇଛି।