କୁଷ୍ଠ ରୋଗୀ ବୋଲି…ଶ୍ମଶାନରେ ପୋଡ଼ିଲେନି, ନଇବାଲିରେ ପୋତି ଚାଲିଗଲେ ମୃତଦେହ

ଗଞ୍ଜାମ,୧୪।୧୧(ବିଦ୍ୟାଧର ସାହୁ): ଶ୍ମଶାନରେ କଲେନି ଶବଦାହ, ନଦୀ ବାଲିଘାଟରେ ପୋତି ଚାଲିଗଲେ ମୃତଦେହ। ଗଞ୍ଜାମରୁ ଏଭଳି ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି।
ସୂଚନାନୁସାରେ, ମାଳି ଜଗନ୍ନାଥପୁର ଗ୍ରାମର ଏଲେୟା ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ନଦୀ ଘାଟକୁ ବୁଲିବାକୁ ଯାଇଥିବା ବେଳେ ମୃତଦେହଟି ବାଲିରେ ପୋତି ହୋଇଥିବା ଏବଂ ଗୋଡ଼ ପଦାକୁ ବାହାରି ଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଉକ୍ତ ଘଟଣା ଗ୍ରାମର କିଛି ବ୍ୟକ୍ତିଙ୍କୁ କହିବା ପରେ ଘଟଣା ପ୍ରଘଟ ହୋଇଥିଲା । ପୋତିବାର କିଛି ସମୟ ପରେ କୁକୁର ବିଲୁଆ ଶବ ନିକଟରେ ପଡ଼ିଥିବା ଲୁଗା ପଟା ଭିଡି ବାହାର କରିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପ୍ରଘଟ ପରେ ମୃତଦେହ ଟି ବୋରିଗାଁ ଅଞ୍ଚଳର ବୋଲି ଏଲେୟା ଗଣମାଧ୍ୟମକୁ କହିବା ସହ ଗଞ୍ଜାମ ଥାନାକୁ ଅବଗତ କରାଇଥିଲେ । ବୋରିଗାଁ ଗ୍ରାମର ଜଣେ କୁଷ୍ଠ ରୋଗୀଙ୍କର ମୃତ୍ୟୁ ହେବା ପରେ ଉକ୍ତ ଗ୍ରାମବାସୀ ତାଙ୍କ ଗାଁ ମଶାଣିରେ ପୋଡ଼ିବାକୁ ବାରଣ କରିଥିଲେ । ଫଳରେ ତାଙ୍କ ପରିବାର ମାଳି ଜଗନାଥ ପୁର ଶ୍ମଶାନରେ ନପୋଡି ମୃତଦେହଟିକୁ ପୋତି ଦେଇଥବା ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି ।

Share