ଫିଲ୍ଡିଂ ସୁପରଷ୍ଟାର: ପଡ଼ିଆର ସବୁଠାରୁ ବିପଜ୍ଜନକ ସ୍ଥାନରେ ହେଉଥିଲେ ଛିଡ଼ା, ଅଡୁଆରେ ପଡ଼ୁଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୩: ବିଶ୍ୱରେ ଏଭଳି ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜର ବ୍ୟାଟିଂ ନଚେତ ବୋଲିଂ ବ୍ୟତିତ ଫିଲ୍ଡିଂକୁ ନେଇ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଜୋଣ୍ଟି ରୋଡ୍ସ, ହର୍ଷଲ ଗିବ୍ସ, ମହମ୍ମଦ ଆଜାରୁଦ୍ଦିନ ସେଭଳି ଖେଳାଳି ଥିଲେ। ହେଲେ ପଡ଼ିଆରେ ‘ଫରଓ୍ବାଡ୍‌ ଶର୍ଟ ଲେଗ୍‌’ ସ୍ଥାନରେ ସମସ୍ତେ ଫିଲ୍ଡିଂ କରିପାରନ୍ତି ନାହିଁ। ଏହି ସ୍ଥାନରେ ନିଜର ଫୁର୍ତ୍ତି ଦେଖାଇ ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିଲେ ଭାରତର ଏକନାଥ ସୋଲକର। ଆଜିର ଦିନରେ ବମ୍ବେରେ ଜନ୍ମ ନେଇଥିଲେ ସେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସାଙ୍ଗକୁ ମଧ୍ୟମ ଦ୍ରୁତ ବୋଲର ମଧ୍ୟ ଥିଲେ। ଏକନାଥ ମୋଟ ୨୭ ଟେଷ୍ଟ ଖେଳିଥିବା ବେଳେ ୧୦୬୮ରନ୍‌ କରି୧୮ ଉଇକେଟ ନେଇଥିଲେ। ସେହିଭଳି ଦିନିକିଆରେ ସେ ୭ ମ୍ୟାଚ୍‌ ଖେଳି ୨୭ ରନ୍‌ ସହ ୪ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୬୮୫୧ରନ୍‌ କରିବା ସହ ୨୭୬ ଉଇକେଟ ନେଇଥିଲେ। ହେଲେ ନା ବ୍ୟାଟିଂ, ନା ବୋଲିଂ, ସେ ନିଜର ଫିଲ୍ଡିଂକୁ ନେଇ ବେଶ୍‌ ଲୋକପ୍ରିୟ ଥିଲେ।
ଯେଉଁସ୍ଥାନରେ ଏକନାଥଙ୍କୁ ଫିଲ୍ଡିଂର ସୁଯୋଗ ମିଳୁଥିଲା, ସେ ନିଜର ଶ୍ରେଷ୍ଠ ଦେଉଥିଲେ। ଫଳରେ ଅଡ଼ୁଆରେ ପଡ଼ୁଥିଲେ ବ୍ୟାଟ୍ସମ୍ୟାନ୍‌ମାନେ। ବିଶେଷକରି ଫରଓ୍ବାଡ୍‌ ଶର୍ଟ ଲେଗ୍‌ ସ୍ଥାନରେ ସେ ରହି ସେମାନଙ୍କୁ ଅସୁବିଧାରେ ପକାଉଥିଲେ। ରେକର୍ଡକୁ ଦେଖିଲେ ସେ ଟେଷ୍ଟ କ୍ରିକେଟରେ ସେ ୨୭ ମ୍ୟାଚ୍‌ ଖେଳି ୫୩ କ୍ୟାଚ୍‌ ଧରିଥିଲେ। ଉଇକେଟକିପରଙ୍କ ବ୍ୟତିତ ଅନ୍ୟ କେହି ତାଙ୍କର ଏହି ରେକର୍ଡ ଭାଙ୍ଗିନାହାନ୍ତି।