ଦାରିଙ୍ଗବାଡି, ୧୮।୯ (ଅରୁଣ ସାହୁ): ଆଉ କିଛି ଦିନ ପରେ ଦଶହରା ଛୁଟି। ପର୍ଯ୍ୟଟନ ଋତୁ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ପର୍ଯ୍ୟଟନକ୍ଷେତ୍ର ଡୁଲୁରୀକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଆଗମନ ହେବ ଏଥିପାଇଁ ଡୁଲୁରୀକୁ ସୌନ୍ଦର୍ଯ୍ୟ କରାଇବାରେ ସ୍ଥାନୀୟ ପ୍ରଶାସନ ଅଧିକଗୁରୁତ୍ୱ ଦେଇଛନ୍ତି। କିନ୍ତୁ କିଛି ଅସାମାଜିକ ଲୋକ ଏହି ସୌନ୍ଦର୍ଯ୍ୟ କୁ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ ରାସ୍ତାରେ ଏହି ଡୁଲୁରୀ ବଣଟି ପଡୁଥିବାବେଳେ ଡୁଲୁରୀ ବଣକୁ ଲାଗି କେହି ବ୍ୟକ୍ତି କୁଢ଼ କୁଢ଼ ଅଳିଆ ଆଣି ସେଠାରେ ପକାଇଛନ୍ତି। ଫଳରେ ଉକ୍ତ ଜଙ୍ଗଲ ସୌନ୍ଦର୍ଯ୍ୟ ହରାଉଥିବାବେଳେ ପୁତ୍ତିମୟ ଗନ୍ଧ ଯୋଗୁ ପର୍ଯ୍ୟଟକ ନାକ ଟେକୁଛନ୍ତି। ପର୍ଯ୍ୟଟକ ବୁଲିବା ପାଇଁ ପାଦ ଚଲା ରାସ୍ତା ବା ୱାକିଂଟ୍ରେଇଲ ବ୍ୟବସ୍ଥା କରାଯାଇଛି। କିନ୍ତୁ ସେଠି କୁଢ଼ କୁଢ଼ ଅଳିଆ ଏବେ ପର୍ଯ୍ୟଟକଙ୍କ ପାଇଁ ମୁଣ୍ଡବ୍ୟଥା ହୋଇଛି। ଏଥିପ୍ରତି ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।