ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୋଳିମାଟିଠାରେ ଗୁରୁବାର ଏହି ଘଟଣା ଘଟିଛି ା ସୂଚନାରୁ ଜଣାପଡିଛି , କୋଳିମାଟି ଗାଁର ପ୍ରକାଶ ବାରିକ ଆଜି ସକାଳୁ ଘରେ ପାଳିଥିବା ଛେଳିଙ୍କୁ ନେଇ ଜଙ୍ଗଲ ନିକଟକୁ ଚରାଇବାକୁ ଯାଇଥିଲେ । ମଧ୍ୟାହ୍ନରେ ଫେରିବା ସମୟରେ ହଠାତ୍ ଏକ ବିରାଟକାୟ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ା ଭାଲୁଟି ପ୍ରକାଶଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇବା ସହ ମୁଣ୍ଡରେ ନଖମାରି ଗଭୀର କ୍ଷତ କରିଛି। ପାଟି ଶୁଣି ଗାଁ ଲୋକେ ଦୌଡି ଆସିବାରୁ ଭାଲୁଟି ଜଙ୍ଗଲକୁ ପଳାଇଥିଲା । ଗୁରୁତର ଅବସ୍ତାରେ ପରିବାର ଲୋକେ ପ୍ରକାଶଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ତା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଖବରପାଇ ବନବିଭାଗର କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗରିବ ଛେଳି ଚରାଳି ପ୍ରକାଶଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।