୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ ଶାନ୍ତନୁ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ୟାଙ୍କରେ ନେଣ ଦେଣ କରୁଥିବା ଗ୍ରାହକମାନଙ୍କ ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଯାଇଛି। ଏହି ଅବସରେ ଶାଖା ପରିଚାଳକ ଉପସ୍ଥିତ ଗ୍ରାହକମାନଙ୍କୁ ବ୍ୟାଙ୍କ ପ୍ରଥମେ ୧୯ମେ ୧୮୯୪ରେ ଲାହୋରଠାରେ ସ୍ଥାପନ ହୋଇଥିଲା ଓ ପରବର୍ତ୍ତୀ ସମୟରେ ସ୍ବଦେଶୀ ବ୍ୟାଙ୍କ ଭାବେ ୧୮୯୫ ଏପ୍ରିଲ ୧୨ ରେ ସ୍ଥାପନ କରାଯାଇଥିଲା ସେ ସମ୍ପର୍କରେ ବିସ୍ତୃତ ଜଣାଇବା ସହ ଦାରିଙ୍ଗବାଡ଼ିରେ ଗତ ୨୦୦୮ରେ ଏହା ସ୍ଥାପନ କରାଯାଇ ଆଜି ସୁଦ୍ଧା ୧୬ ହଜାର ଗ୍ରାହକ ସୃଷ୍ଟି କରିପାରିଛି। ଏବେ ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରୁ ୪ଟି ତଥା ଦାରିଙ୍ଗବାଡ଼ି, ପ୍ଳିହେରି, ଦାନେକବାଡ଼ି ଏବଂ ସିର୍କାବର୍ଗରେ ଏହି ବ୍ୟାଙ୍କ ସେବା ଯୋଗାଇଦେବା ସହ କଷ୍ଟମର ସର୍ଭିସ ଆସୋସିଏଟଙ୍କ ଦ୍ୱାରା କ୍ଷୁଦ୍ର ବ୍ୟାଙ୍କ ମାଧ୍ୟମରେ ସେବା ଯୋଗାଉଥିବା କହିଥିଲେ। ବ୍ୟାଙ୍କରେ ମୋଟ ୧୬୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ବ୍ୟାଙ୍କରେ ଖାତା ଖୋଲି ନେଣ ଦେଣ କରୁଥିବା ବେଳେ ୧୧୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଋଣ ବିଶେଷ କରି ଛତୁ ଚାଷ, ମାଛ, ଛେଳି,କୁକୁଡ଼ା ଫୁଲ ଝାଡୁ, ହଳଦୀ ଚାଷ ପାଇଁ ଋଣ ପ୍ରଦାନ କରାଯାଇଥିବା କୁହାଯାଇଥିଲା।

ସେହିପରି ହାଉସିଂ, ଗାଡ଼ି, ବ୍ୟବସାୟୀ, ଶିଳ୍ପ ଆଦି ପାଇଁ ଋଣ ପ୍ରଦାନ ସହ ସୁନା ବନ୍ଧକ ଆଦିରେ ଅଗ୍ରଣୀ ଭାବେ କାର୍ଯ୍ୟ କରି ଅଞ୍ଚଳବାସୀଙ୍କୁ ସେବା ଯୋଗାଉଥିବା ଶାଖା ପରିଚାଳକ ସୂଚନା ଦେଇଥିଲେ। ଏହି ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫିଲ୍ଡ ଅଫିସର-ଜଗନ୍ନାଥ ଗୌଡ଼, ମୁଖ୍ୟ କିରାଣି ସୁଶୀଲ କୁମାର ନାୟକ, କିରାଣି ଅବିନାଶ ପ୍ରେମ ମାଝୀ, ବ୍ୟାଙ୍କ ମିତ୍ର ପୁଷ୍ପଲତା ଦିଗାଲ,ଦପ୍ତରୀ ଗୋପାଳ କୃଷ୍ଣ ଦେହୁରୀ,ଦନେକବାଡିର ବ୍ୟାଙ୍କ କଷ୍ଟମର ସର୍ଭିସ ଆସୋସିଏଟ୍‌ ଇନଚାର୍ଜ ରାମନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବ୍ୟାଙ୍କ ସେବା ସମ୍ପର୍କରେ ଗ୍ରହକଙ୍କୁ ପରାମର୍ଶ ଦେଇଥିଲେ।

Share
Tags: PNB