Categories: Home Leftଖେଳ

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା ଭାରତରେ ଖେଳିବ କି ନାହିଁ ତାହା ସ୍ପଷ୍ଟ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ ଅଲ୍ଟିମେଟମ ଦିଆଯିବା ପରେ ବାଂଲାଦେଶ ସରକାରଙ୍କ ସ୍ପୋଟର୍‌ସ ଆଡଭାଇଜର ଆସିଫ ନାଜ୍ରୁଲ ମଙ୍ଗଳବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଭାରତ ଟ୍ରାଭେଲ ନ କରିବା ଲାଗି ବିସିବି ଯଦି ନିଜ ଜିଦ୍‌ରେ ଅଟଳ ରୁହେ, ତେବେ ୨୦ ଦଳ ବିଶିଷ୍ଟ ଟୁର୍ନାମେଣ୍ଟରେ ର଼୍ୟାଙ୍କିଙ୍ଗ୍‌ ଆଧାରରେ ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡ ଖେଳିବ। ସ୍ଥାନରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯିବା ସମ୍ପର୍କରେ ମୁଁ ଅବଗତ ନୁହେଁ। ଯଦି ଆଇସିସି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଚାପରେ ମୁଣ୍ଡ ନୁଆଁଇ ଆମ ଉପରେ ଅଯୁକ୍ତିଯୁକ୍ତ ସର୍ତ୍ତ ମାଧ୍ୟମରେ ଚାପ ପକାଏ, ତେବେ ଆମେ ସେହି ସର୍ତ୍ତ ମାନିବୁ ନାହିଁ। ଅତୀତରେ ଉଦାହରଣ ରହିଛି ଯେ, ଭାରତ ଟ୍ରାଭେଲ କରିବାକୁ ପାକିସ୍ତାନ ମନା କରିଥିଲା ଓ ଆଇସିସି ଭେନ୍ୟୁ ବଦଳାଇଥିଲା। ଆମେ ସେମାନଙ୍କୁ ଭେନ୍ୟୁ ପରିବର୍ତ୍ତନ କରିବା ଲାଗି ଯଥାର୍ଥ କାରଣ ଦେଇଥିଲୁ। ଆମ ଉପରେ ଭାରତରେ ଖେଳିବାକୁ ଚାପ ପକାଯାଇ ପାରିବ ନାହିଁ’ ବୋଲି ନଜ୍ରୁଲ କହିଛନ୍ତି। ବାଂଲାଦେଶ ପେସର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍‌ରୁ ହଟାଯିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଏହାର ଜବାବରେ ସୁରକ୍ଷାଗତ କାରଣ ଦର୍ଶାଇ ବିସିବି ବାଂଲାଦେଶ ଦଳକୁ ଭାରତ ପଠାଇବ ନାହିଁ ବୋଲି କହିଥିଲା। ବିସିବି ତା’ର ସମସ୍ତ ୪ ଲିଗ୍‌ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବାକୁ ଚାହୁଁଥିବା ଇଚ୍ଛା ପ୍ରକଟ କରିଥିଲା। ବାଂଲାଦେଶ ଗ୍ରୁପ୍‌-ସି’ରେ ଇଟାଲୀ, ନେପାଳ ଓ ଇଂଲଣ୍ଡ ସ୍ଥାନ ପାଇଥିବା ବେଳେ ଢାକାଠାରେ ବସିଥିବା ଗତ ବୈଠକରେ ବିସିବି ଆଇସିସି ଅଧିକାରୀଙ୍କ ନିକଟରେ ଗ୍ରୁପ୍‌-ବି’ରେ ଆୟର୍ଲାଣ୍ଡ ସହ ଅଦଳବଦଳ କରିବାକୁ ପ୍ରସ୍ତାବ ଦେଇଥିଲା। ଯାହାଫଳରେ ବାଂଲାଦେଶ ତା’ର ସମସ୍ତ ଲିଗ୍‌ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିପାରିବ।

Dharitri – The Largest & Most Trusted Odia Daily

Share
Tags: Sports News