ରାଷ୍ଟ୍ରପତିଙ୍କ ସଚିବାଳୟ ହସ୍ତକ୍ଷେପ ପରେ ହଟିଲା ବାସନ୍ଦ

ଗଞ୍ଜାମ,୧୪ା୧(ଅନାଥ ତରାଇ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ଝରାପଦର ଗ୍ରାମରେ ଏକ ଦୀର୍ଘଦିନର ସାମାଜିକ ବାସନ୍ଦ ଘଟଣାର ସମାଧାନ ହୋଇଛି। ଏଚ୍‌.ସାବିତ୍ରୀ ରେଡ୍ଡୀ ଓ ତାଙ୍କ ଭାଇ ଏନ୍‌. ଅସନ୍ତା ରେଡ୍ଡୀଙ୍କ ପରିବାରକୁ ଗତ ୬ ମାସ ଧରି ଗ୍ରାମ କମିଟି ଦ୍ୱାରା ସାମାଜିକ ବାସନ୍ଦ କରାଯାଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଜିଲା ପ୍ରଶାସନ ଓ ପୋଲିସର ମିଳିତ ଉଦ୍ୟମରେ ବାସନ୍ଦ ଉଠାଯାଇଛି।
ମୁତାବକ, ଝରାପଦର ଗ୍ରାମର ଏଚ୍‌. ସାବିତ୍ରୀ ରେଡ୍ଡୀଙ୍କ ମାନସିକ ବିକୃତ ସ୍ବାମୀଙ୍କ ସହ ଗ୍ରାମବାସୀଙ୍କର କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିପାଇଁ ଗ୍ରାମ କମିଟି ତାଙ୍କୁ ୧୫ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଦେଇ ନ ପାରିବାରୁ ଗତ ଜୁଲାଇ ମାସରୁ ସାବିତ୍ରୀଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା। କେବଳ ସେତିକି ନୁହେଁ, ସାବିତ୍ରୀଙ୍କ ସହ କଥା ହୋଇଥିବାରୁ ତାଙ୍କ ଭାଇ ଏନ୍‌.ଅସନ୍ତା ରେଡ୍ଡୀଙ୍କ ପରିବାରକୁ ମଧ୍ୟ ସାମାଜିକ ବାସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବାସନ୍ଦ ଯୋଗୁ ଏହି ୨ ପରିବାରକୁ ଗାଁ ଦୋକାନରୁ ସଉଦା ମିଳୁ ନ ଥିଲା କି ପିଲାମାନଙ୍କୁ ସ୍କୁଲରେ ପଢ଼ିବାକୁ ଦିଆଯାଉନଥିଲା। ସାବିତ୍ରୀ ଓ ତାଙ୍କ ଭାଇ ମୂଲ ଲାଗି ଚଳୁଥିବା ବେଳେ ସାବିତ୍ରୀ ଛତ୍ରପୁରର ବାସନାପଲ୍ଲୀରେ ଭଉଣୀ ଘରେ ରହୁଥିଲେ। ତାଙ୍କ ପୁଅ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିଲା। ଏହି କଟକଣା ସେମାନଙ୍କ ଜୀବନ ଦୁର୍ବିସହ କରିଦେଇଥିଲା। ସ୍ଥାନୀୟ ପୋଲିସ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ମଧ୍ୟ କୌଣସି ସୁଫଳ ନ ମିଳିବାରୁ, ସାବିତ୍ରୀ ଓକିଲଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଗତ ଅକ୍ଟୋବର ୬ରେ ପତ୍ର ଲେଖିଥିଲେ। ରାଷ୍ଟ୍ରପତିଙ୍କ ସଚିବାଳୟରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ରିପୋର୍ଟ ମଗାଯାଇଥିଲା। ଏହାପରେ ସୋମବାର ଛତ୍ରପୁର ଉପ-ଜିଲାପାଳ ଶିବାଶିଷ ବରାଳ, ଏସଡିପିଓ ଚନ୍ଦନ ଘଡାଇ ଓ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀ, କମିଟି ଓ ପ୍ରଭାବିତ ପରିବାରଙ୍କୁ ଏକାଠି କରି ଆଲୋଚନା କରିଥିଲେ। ସମସ୍ତଙ୍କ ସହମତିରେ ବାସନ୍ଦ ଉଠାଯାଇଛି ଏବଂ ଆଗାମୀ ଦିନରେ ଏଭଳି ଘଟଣା ନ ଘଟିବାକୁ ଗ୍ରାମ କମିଟିକୁ ଚେତାବନୀ ଦିଆଯାଇଥିଲା। ଏହି ଘଟଣା ମାନବାଧିକାରର ଉଲ୍ଲଂଘନ ବୋଲି ଆକ୍ଷାୟିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦୀର୍ଘଦିନର ସମସ୍ୟାର ଅନ୍ତ ଘଟାଇଛି। ଏହି ସମାଧାନ ପରେ ସାବିତ୍ରୀ ରାଷ୍ଟ୍ରପତି ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

Dharitri – The Largest & Most Trusted Odia Daily

 

Share