ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୃଷ୍ଣଙ୍କ ନିଧନ ପାଇଁ ରଙ୍ଗସଭାରେ ମନ୍ତ୍ରଣା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ବିଭାଗର ୧୮ଟି ଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା ବିଭାଗର ସମସ୍ତ ରାଜା ରାଜ ଦରବାରରେ ଉପସ୍ଥିତ ରହି ଶତ୍ରୁ ବିନାଶ ପାଇଁ ଯୋଜନା ପ୍ରସ୍ତୁତି କରିଥିବା ନେଇ ମହାରାଜ କଂସଙ୍କୁ ଅବଗତ କରାଇଥିଲେ। ମହର୍ଷି ନାରଦଙ୍କ ଆଗମନ ଓ ଧନୁଯାତ୍ରା ଆୟୋଜନ ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ନାଟ୍ୟ ନିର୍ଦ୍ଦେଶକ ନକୁଳ ବାଦୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଗ୍ରୀବର ବିଶି, ନୃତ୍ୟ ନିର୍ଦ୍ଦେଶକ ଶଙ୍କର ପଟ୍ଟନାୟକ ପ୍ରମୁଖଙ୍କ ନିର୍ଦ୍ଦେଶନାରେ କଂସ ଭୂମିକାରେ ଅଭିନୟ କରୁଥିବା ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଛାତ୍ରୀ ବର୍ଷା ରାଣୀ ପଟେଲଙ୍କ ଅଭିନୟ ଉଚ୍ଚକୋଟୀର ହୋଇଥିଲା।

ଏହି ଅବସରରେ ସ୍କୁଲସ୍ତରୀୟ ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାର ଜୁନିୟର ବିଭାଗରେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ)ର ଛାତ୍ର ସତ୍ୟଜିତ ଖମାରୀ ପ୍ରଥମ, ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗର ଛାତ୍ର ସମରୀନ ଦାଶ ଦ୍ବିତୀୟ ଏବଂ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ହର୍ସିତ୍‌ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସତ୍ୟଜିତ କଂସ ଭୂମିକାରେ ଅଭିନୟ କରି ସମସ୍ତଙ୍କ ଦୃଦୟ ଜିଣିଥିଲେ। ସେ ତୃତୀୟ ଶ୍ରେୀରେ ପଢୁଛନ୍ତି। ବରିଷ୍ଠ ବିଭାଗରେ ବରଗଡ଼ ପଞ୍ଚାୟତ କଲେଜ ଛାତ୍ର ଓମ ପ୍ରକାଶ ସାହୁ ପ୍ରଥମ ଓ ବୁଲୁ ମିଶ୍ର ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଡଃ ତପସ୍ବିନୀ ଗୁରୁ, ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା,ସଞ୍ଜୟ ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ।

ରାଜ ଦରବାରରେ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସରୋଜ ଭୁଏ, ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନା, ଏ.ଇ ମିଶନ ସ୍କୁଲର ନିର୍ଦ୍ଦେଶକ ଯଶବୀର ସିଂ, ଜର୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ୱତୀ ଦାଶ ପ୍ରମୁଖ ରାଜ ଅତିଥିଭାବେ ଯୋଗ ଦେଇ ମହାରାଜଙ୍କ ପ୍ରଶଂସା କରିବା ସହିତ ବାଲ କଳାକାରଙ୍କୁ ଉତ୍ସାହିତ କରିଥିଲେ।

 

Dharitri – Odisha’s No.1 Odia Daily

 

Share