Arrested man in handcuffs with hands behind back
ଭୁବନେଶ୍ୱର, ୧୪।୮(ବ୍ୟୁରୋ): ନିଜ ଅଫିସ୍ର ଜଣେ ଡ୍ରାଇଭରଙ୍କଠାରୁ ଲାଞ୍ଚ ନେବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କୃଷି ବିପଣନ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଦାଶ। ପଚରାଉଚରା ପରେ ଗୁରୁବାର କେସ୍ ନଂ.୪/୨୦ ରୁଜୁ କରାଯାଇ ତାଙ୍କୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ବିଜୟଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୨୧ ତାରିଖରେ ତାଙ୍କ ଜାମିନର ପରବର୍ତ୍ତୀ ଶୁଣାଣି ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଧରାପଡିବା ପରେ ବିଜୟଙ୍କ ଅଫିସ ସମେତ ନୟାପଲ୍ଲୀସ୍ଥିତ ଭଡ଼ାଘର, ରୁପାଲି ଛକରେ ଥିବା ଫ୍ଲାଟ, ଶହୀଦନଗରରେ ଥିବା ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ସେଲୁନ ଆଣ୍ଡ୍ ସ୍ପା’ରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଥିଲା। ଯାଞ୍ଚବେଳେ ଆୟ ବହିର୍ଭୂତ ସମ୍ପତ୍ତି ନେଇ ଜଣାପଡିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଥିବା ସୂଚନା ମିଳିଛି।
ଘଟଣାରୁ ପ୍ରକାଶ, ତାଙ୍କ ଅଫିସ୍ର ଡ୍ରାଇଭର ଧୀରେନ୍ଦ୍ର ମଲ୍ଲିକ ପଦୋନ୍ନତି ବାବଦକୁ ପ୍ରାୟ ଦେଢଲକ୍ଷ ଟଙ୍କା ଓ ବିଭିନ୍ନ ଭତ୍ତା ବାବଦରେ ୨୫ ହଜାର ଟଙ୍କା ପାଇବେ। ହେଲେ ଏହାକୁ ପାସ୍ କରାଇଦେବା ଲାଗି ବିଜୟ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଧୀରେନ୍ଦ୍ର ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଯୋଜନା ଅନୁଯାୟୀ ବୁଧବାର ଭିଜିଲାନ୍ସ ଅଧିକାରୀ ଅଫିସ ନିକଟରେ ଛକି ରହିଥିଲେ। ନିର୍ଦ୍ଧାରିତ ସ୍ଥାନରେ ଧୀରେନ୍ଦ୍ରଙ୍କଠାରୁ ଲାଞ୍ଚ ଟଙ୍କା ନେଇ ବିଜୟ ପକେଟରେ ରଖିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏହାପରେ ବିଜୟଙ୍କ ହାତ ଓ ଟଙ୍କାରୁ କେମିକାଲ ଯୁକ୍ତ ରଙ୍ଗ ମିଳିଥିଲା। ଲାଞ୍ଚ ନେବାର ଦୃଢ଼ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।