ଡେବ୍ୟୁ ମାଚ୍‌ରେ ଶେଷ ହୋଇଥାନ୍ତା କ୍ୟାରିୟର! ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍‌ରାଉଣ୍ଡର

ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ସଂସ୍କରଣ। ଏଥିରେ ବାଜିମାତ କିଏ କରିବ ତାହା ଉପରେ ସମସ୍ତଙ୍କ ରହିଛି। ବିଶେଷକରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ନିଶ୍ଚୟ ଫାଇନାଲ ଖେଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶ୍ରେଷ୍ଠ ଦଳରେ ପରିଣତ କରିବା ପଛରେ ଧୋନୀଙ୍କ ବଡ଼ ଯୋଗଦାନ ରହିଛି। ତାଙ୍କ ଅଧିନାୟକତ୍ୱରେ ଅନେକ ଖେଳାଳି ଖେଳିବାର ସୁଯୋଗ ପାଇଁ ନିଜକୁ ଧନ୍ୟ ମନେ କରନ୍ତି। ସେଭଳି ଜଣେ ହେଲେ ହାର୍ଦ୍ଦିକ ପାଣ୍ୟା।

ହାର୍ଦ୍ଦିକ ଏବେ ଭାରତୀୟ କ୍ରିକେଟ ଦଳର ସଫଳ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ। ୨୦୧୬ ଜାନୁୟାରୀ ୨୬ ତାରିଖରେ ଏଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରୁ ସେ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ।ଏହି ପାଳିର ୮ମ ଓଭରରେ ସେ ବୋଲିଂ କରିଥିଲେ। ହେଲେ ପ୍ରଥମ ତିନୋଟି ବଲ୍‌ ଓ୍ବାଇଡ୍‌ ହୋଇଥିଲା। ପର ବଲ୍‌ଟିରେ କୌଣସି ରନ୍‌ ହୋଇ ନ ଥିଲା। ହେଲେ ଏହାପରେ ଷ୍ଟିଭ୍‌ ସ୍ମିଥ୍‌ ୨ ରନ୍‌ ଓ ୧ ରନ୍‌ ନେଇ ଏରୋନ୍‌ ଫିଚ୍‌ଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ସେ ଆସୁଆସୁ ପ୍ରଥମେ ଛକ୍କା ମାରିଦେଇଥିଲେ। ଏହାପରେ ସେ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ। ଫଳରେ କ୍ୟାରିୟରର ପ୍ରଥମ ଓଭରରେ ୧୯ ରନ୍‌ ଦେଇଥିଲେ। ଏଭଳି ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ସବୁକିଛି ଶେଷ ହୋଇଯିବା ପରି ଲାଗିଥିଲା। ହେଲେ ଧୋନୀ ତାଙ୍କ ଉପରେ ରାଗି ନ ଥିଲେ। ପୁଣି ଥରେ ୧୫ ଓ ୧୭ ଓଭର ବୋଲିଂ କରିବାକୁ ଦେଇଥିଲେ।

ମାତ୍ର ପୁଣି ହାର୍ଦ୍ଦିକ ବଲ୍‌ରେ ଛକା ମାରିଥିଲେ କ୍ରିସ୍‌ ଲିନ୍‌ । ଭାଗ୍ୟ ସାଥ୍‌ ଦେଉ ନ ଥିବା ପରି ମନେ ହେଉଥିବା ବେଳେ ହଠାତ୍‌ ୧୫ ଓଭରର ଶେଷ ବଲ୍‌ରେ ତାଙ୍କୁ ଆଉଟ୍‌ କରିଦେଇଥିଲେ ହାର୍ଦ୍ଦିକ। ୧୭ ଓଭରର ପ୍ରଥମ ବଲ୍‌ରେ ମାଥ୍ୟୁ ଓ୍ବେଡ୍‌ଙ୍କୁ ଆଉଟ୍‌ କରିଦେଇଥିଲେ। ତେବେ ସେ ହାଟ୍ରିକ୍‌ ନେଇ ପାରି ନ ଥିଲେ ହେଁ ଧୋନୀଙ୍କ ପକ୍ଷରୁ ଦିଆଯାଇଥିବା ଭରସା ପାଇଁ ଆଜି ସେ ଏହି ସୋପାନରେ ପହଞ୍ଚିଥିବା ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିିଥିଲେ। ସେ ଖେଳାଳିମାନଙ୍କୁ ଚିହ୍ନି ପାରନ୍ତି ବୋଲି ହାର୍ଦ୍ଦିକ ମଧ୍ୟ କହିଥିଲେ।