Farmers are working in the field
ନୂଆଦିଲ୍ଲୀ: ୨୦୦୯-୧୦ରେ ଉପା ସରକାରଙ୍କ ସମୟରେ ଦେଶର କୃଷି ବଜେଟ ପରିମାଣ ପ୍ରାୟ ୧୨ ହଜାର କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧୧ ଗୁଣ ବଢି ୧.୩୪ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଶନିବାର ସୂଚନା ଦେଇଛନ୍ତି। କୃଷକଙ୍କ ବିକାଶ ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ମତ ପ୍ରକାଶ କରିଛନ୍ତି। ନୂଆ କୃଷି ବିଲ୍ରେ କୃଷକଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ବିକ୍ରିବଟାରେ ସ୍ବାଧୀନତା ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କୃଷକମାନେ ନୂଆ ବ୍ୟବସ୍ଥା ଦ୍ୱାରା ସରକାରଙ୍କ ପକ୍ଷରୁ ନିଶ୍ଚିତ କରାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ପାଇବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ କୃଷକ ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ସ୍ଥିତିରେ କୃଷି ମନ୍ତ୍ରଣାଳୟର ବଜେଟ ବଢିବା ଯୋଗୁ ଖାଦ୍ୟଶସ୍ୟ ସଂଗ୍ରହରେ ସରକାର ଅଧିକ ଖର୍ଚ୍ଚ କରିବେ ବୋଲି କୁହାଯାଇଛି। ଏନ୍ଡିଏ ସରକାର ନିରନ୍ତର କୃଷକଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ଗଙ୍ଗଓ୍ବାର ମତ ରଖିଛନ୍ତି।
ଏକ କାର୍ଯ୍ୟକ୍ରମରେ ନୂଆ କୃଷି ବିଲ୍ ଉପରେ ସେ କହିଛନ୍ତି ଯେ, ନୂଆ କୃଷି ବିଲ୍ ଦ୍ୱାରା କୃଷକ ଲାଭବାନ ହେବେ। ଉତ୍ପାଦିତ ସାମଗ୍ରୀକୁ ଅନ୍ୟ ରାଜ୍ୟରେ କୃଷକମାନେ ଉନ୍ନତ ମୂଲ୍ୟରେ ବିକ୍ରି କରିପାରିବେ। ସେହିଭଳି ପୂର୍ବର ସରକାରଙ୍କ ତୁଳନାରେ ଏମ୍ଏସ୍ପି ବିଶେଷ ଭାବେ ବୃଦ୍ଧି ପାଇଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହାବାଦ ପାର୍ଲାମେଣ୍ଟରେ ପାସ୍ ହୋଇଥିବା ନୂଆ ଶ୍ରମ ସଂସ୍କାର ବିଲ୍ ଦ୍ୱାରା ଶ୍ରମିକଙ୍କ ଲାଗି ମଙ୍ଗଳକାରୀ ହେବ ବୋଲି ସେ ଆଶାବାଦୀ ରହିଥିବା କହିଛନ୍ତି। ଏହା ଦେଶ ମଧ୍ୟରେ ଇଜ୍ ଅଫ୍ ଡୁଇଂ ବିଜ୍ନେସକୁ ବୃଦ୍ଧି କରାଇବା ଦିଗରେ ଯୋଗଦାନ ରଖିବ। ପରିବର୍ତ୍ତିତ ସମୟରେ ଏହା ଶିଳ୍ପ ଏବଂ ଶ୍ରମିକଙ୍କ ମଧ୍ୟରେ ମଧ୍ୟ ଯୋଗସୂତ୍ର ରକ୍ଷା କରିବା ନେଇ ସେ ଆଶାବାଦୀ ରହିଛନ୍ତି। ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଦିଗରେ ଅଂଶୀଦାରମାନେ ଯୋଗଦାନ ରଖିବାକୁ ସେ ଆହ୍ବାନ ଜଣାଇଛନ୍ତି।