‘ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୟସ ୧୬ ହେଉ’

ନୂଆଦିଲ୍ଲୀ,୨୫ା୭(ପି.ଟି.): ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୈଧାନିକ ବୟସସୀମା ୧୮ ବର୍ଷରୁ ୧୬ ବର୍ଷକୁ ହ୍ରାସ କରାଯାଉ ବୋଲି ଆମିକସ୍‌ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ‘ନିପୁନ୍‌ ସାକ୍ସେନା ବନାମ କେନ୍ଦ୍ର ସରକାର’ ମାମଲାରେ ଜୟସିଂ ସର୍ବୋଚ୍ଚ ଅଦାଲତଙ୍କୁ ସହାୟତା କରୁଛନ୍ତି। ୧୬ରୁ ୧୮ ବର୍ଷ ବୟସ ବର୍ଗର କିଶୋର କିଶୋରୀ ଯୌନ ଅପରାଧରେ ସମ୍ପୃକ୍ତ ହେଉଥିବାବେଳେ ପୋକ୍‌ସୋ ଆଇନ, ୨୦୧୨ ଏବଂ ଆଇପିସିର ଦଫା ୩୭୫ ଅଧୀନରେ ଏହାର ଖୋଲାଖୋଲି ଅପରାଧୀକରଣକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ବର୍ତ୍ତମାନର ପ୍ରଚଳିତ ଆଇନ କିଶୋର କିଶୋରୀଙ୍କ ସହମତି ଭିତ୍ତିରେ ରୋମାଣ୍ଟିକ୍‌ ସମ୍ପର୍କକୁ ଅପରାଧ ଶ୍ରେଣୀରେ ବର୍ଗୀକୃତ କରିବା ସହ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ଜୟସିଂ ଆହୁରି କହିଛନ୍ତି, ଆଇନ ବ୍ୟବସ୍ଥାରେ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ସମ୍ପର୍କକୁ ଭୁଲ୍‌ବଶତଃ ଦୁର୍ବ୍ୟବହାର, ସେମାନଙ୍କ ସ୍ବାୟତତ୍ତାକୁ ଅଣଦେଖା, ପରିପକ୍ୱତା ଏବଂ ସହମତି ଦେବାର କ୍ଷମତା ସହ ସମାନ ବିବେଚନା କରାଯାଇଛି। ୨୦୧୩ର ଆପରାଧିକ ଆଇନ (ସଂଶୋଧନ) ଅଧିନିୟମ ଅଣାଯିବା ପର୍ଯ୍ୟନ୍ତ ୭୦ ବର୍ଷ ଧରି ସହମତି ବୟସ ୧୬ ବର୍ଷ ରହିଥିଲା। ଏହାକୁ ୧୮ ବର୍ଷକୁ ବଢ଼ାଯିବା ପଛରେ ଯଥାର୍ଥ ଦର୍ଶାଇବାର କୌଣସି ବାସ୍ତବ କାରଣ କିମ୍ବା ପ୍ରୟୋଗାତ୍ମକ ତଥ୍ୟ ନାହିଁ। ଜଷ୍ଟିସ୍‌ ବର୍ମା କମିଟି ସହମତି ବୟସ ୧୬ ବର୍ଷ ରଖିବା ପାଇଁ ସୁପାରିସ୍‌ କରିଥିବାବେଳେ ବିନା ବିତର୍କରେ ଏହାକୁ ୧୮ ବର୍ଷକୁ ବଢ଼ାଯିବା ଦ୍ୱାରା ଏହା କମିଟି ସୁପାରିସ୍‌ ବିରୋଧରେ ଯାଇଛି। ଆମିକସ୍‌ କ୍ୟୁରି କହିଛନ୍ତି, ଆଜିକାଲି କିଶୋର କିଶୋରୀମାନେ ଶୀଘ୍ର ଯୌବନ ପ୍ରାପ୍ତ ହେଉଛନ୍ତି ଏବଂ ନିଜ ପସନ୍ଦରେ ପ୍ରେମ ଓ ଯୌନ ସମ୍ପର୍କ ରଖିବାକୁ ସମର୍ଥ। ଜାତୀୟ ପରିବାର ସ୍ବାସ୍ଥ୍ୟ
ସର୍ଭେ ତଥ୍ୟ ସମେତ ବିଜ୍ଞାନସମ୍ମତ ଏବଂ ସାମାଜିକ ତଥ୍ୟ ଅନୁଯାୟୀ, କିଶୋର କିଶୋରୀଙ୍କ ମଧ୍ୟରେ ଯୌନ କାର୍ଯ୍ୟକଳାପ ଅସାଧାରଣ ନୁହେଁ ବୋଲି ଜୟସିଂ କହିଛନ୍ତି।
୨୦୧୭ରୁ ୨୦୨୧ ମଧ୍ୟରେ ପୋକ୍ସୋ ଅଧୀନରେ ୧୬ରୁ ୧୮ ବର୍ଷର ପିଲା ମୋକଦ୍ଦମାର ସମ୍ମୁଖୀନ ହେବା ୧୮୦ ପ୍ରତିଶତ ବଢ଼ିଛି। ଭିନ୍ନ ଧର୍ମ ବା ଭିନ୍ନ ଜାତି ସହ ସମ୍ପୃକ୍ତ ମାମଲାରେ ଅଧିକାଂଶ ଅଭିଯୋଗ ଝିଅ ଇଚ୍ଛା ବିରୋଧରେ ମା’ବାପା ଦାଏର କରୁଛନ୍ତି। ସହମତିରେ ଯୌନ ସମ୍ପର୍କକୁ ଅପରାଧୀକରଣ କରାଯାଉଛି। ଫଳରେ କିଶୋରକିଶୋରୀ ଯୋଡ଼ି ଲୁଚିବାକୁ, ବିବାହ କରିବାକୁ କିମ୍ବା ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି। ଏସବୁର ସମାଧାନ ପାଇଁ ସହମତି ବୟସ ୧୬ ବର୍ଷକୁ ହ୍ରାସ କରିବା ପାଇଁ ଜୟସିଂ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି।

Share