ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ଦୁର୍ଘଟଣା ହାର ବଢ଼ିଯାଇଛି। ଏଥିରେ ଏକାଧିକ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଯାହାକି ଚିନ୍ତାଜନକ ବିଷୟ ପାଲଟିଛି। ଅଧିକାଂଶ ଦୁର୍ଘଟଣା ଦିନବେଳେ ନଚେତ୍ ପ୍ରତ୍ୟୁଷରେ ହେଉଛି। ଦ୍ରୁତ ଗାଡି ଚାଳନା, ମଦୁଆ ଗାଡି ଚାଳକଙ୍କ ପାଇଁ ହିଁ ଦୁର୍ଘଟଣା ବଢୁଛି। ଏହାକୁ ରୋକିବାରେ ପୋଲିସ ପ୍ରଶାସନ ଅନେକ ସମୟରେ ବିଫଳ ହେଉଛି। ଏହିଭଳି ପରିସ୍ଥିତିରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରାତ୍ରୀକାଳୀନ ଦୁର୍ଘଟଣା ହାର କମାଇବା ପାଇଁ ଅଭିନବ ପ୍ରୟାସ ଗତ ୧ ତାରିଖରୁ ଆରମ୍ଭ ହୋଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ରାତିରେ ଯାତାୟାତ କରୁଥିବା ଗାଡି ଚଳକଙ୍କୁ ଚା’ ପିଇବାକୁ ଦିଆଯାଉଛି । ଫଳରେ ଗାଡ଼ି ଚାଳକମାନଙ୍କୁ ଆଉ ନିଦ ଆସିବ ନାହିଁ ଏବଂ ଦୁର୍ଘଟଣା ମଧ୍ୟ ହେବ ନାହିଁ। ପ୍ରଶାସନର ଏହିଭଳି ପଦକ୍ଷେପ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାତି ୩ ଟା ରୁ ୬ ଟା ମଧ୍ୟରେ ମୁଖ୍ୟ ରାଜପଥ ଗୁଡ଼ିକରେ ଯାତାୟାତ କରୁଥିବା ଗାଡି ଚାଳକକୁ ହିଁ ଚା’ ପିଇବାକୁ ଦିଆଯାଉଛି। ବିଶେଷ କରି ପ୍ରତ୍ୟୁଷରେ ହିଁ ଗାଡି ଚାଳକକୁ ନିଦ ଆସିଥାଏ। ଏହି ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଏହି ସମୟରେ ଚାଳକକୁ ଚା ’ ବଣ୍ଟନ କରାଯାଉଛି । ଅପରପକ୍ଷେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ, ଥାନା ଅଧିକାରୀ ଜିବନାନନ୍ଦ ଜେନା ଦୁର୍ଘଟଣା ହାର କିଭଳି କମିବ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେଉଥିବା ଜଣାପଡିଛି । କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ବଢିବା ଦରକାର। ତା’ହେଲେ ଯାଇ ଦୁର୍ଘଟଣା ହାର କମିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।