କଥା ରଖିଲାନି ପ୍ରଶାସନ, ପୁଣି ପାଣି ପାଇଁ ରାସ୍ତାରୋକୋ

ନବରଙ୍ଗପୁର,୨୮।୨(ବି.ପ୍ର.):ପ୍ରତିଶ୍ରୁତି ରଖିଲାନି ପ୍ରଶାସନ। ପାଣି ସମସ୍ୟା ଦୂର କରିବାକୁ କହି ଭୁଲିଗଲା। ଏହା ବିରୋଧରେ ସୋମବାର ନବରଙ୍ଗପୁର ଜିଲା ସଦର ବ୍ଲକ ଅଗ୍ନିପୁର ପଞ୍ଚାୟତ ବେହେରାଗୁଡ଼ା ଗ୍ରାମବାସୀ ହାଣ୍ଡି ଗରା ରଖି ରାସ୍ତାରୋକୋ କରିଥିଲେ। ଫଳରେ ନବରଙ୍ଗପୁର-କୋଷାଗୁମୁଡ଼ା ରାସ୍ତାରେ ଯାତାୟାତ ବାଧା ପାଇଥିଲା। ନବରଙ୍ଗପୁର ପୋଲିସ ଓ ପାନୀୟ ଜଳ ବିଭାଗ ନିର୍ବାହୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ସୋମବାର ସୁଦ୍ଧା ସେଠାରେ ଏକ ନୂତନ ନଳକୂପ ଖୋଳାଯିବା ନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା।
ବେହେରାଗୁଡ଼ା ଗ୍ରାମରେ ୧୫୦୦ ଲୋକ ବସବାସ କରୁଥିବା ବେଳେ ୩ଟି ନଳକୂପ ରହିଛି l ସେଥିମଧ୍ୟରୁ ଗୋଟିଏ ଅଚଳ ରହିଥିବାରୁ ୨ଟି ନଳକୂପର ପାଣି ଗ୍ରାମବାସୀଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ। ଏ ନେଇ ଗ୍ରାମରେ ଅନେକ ସମୟରେ ପାଣି ପାଇଁ ଗଣ୍ଡଗୋଳ ହେଉଛି। ବାରମ୍ବାର ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଗତ ୨୦ ତାରିଖରେ ଗ୍ରାମବାସୀ ହାଣ୍ଡି ବାଲ୍ଟି ରଖି ରାସ୍ତାରୋକୋ କରିଥିଲେ। ଏହି ସମୟରେ ସ୍ଥାନୀୟ ସରପଞ୍ଚ ଓ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଆସି ୨୪ ଘଣ୍ଟା ମଧ୍ୟରେ ଉକ୍ତ ଗ୍ରାମରେ ଆଉ ଏକ ନଳକୂପ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗ୍ରାମବାସୀ ରାସ୍ତାରୋକୋ ହଟାଇଥିଲେ। କିନ୍ତୁ ପ୍ରଶାସନର ପ୍ରତିଶ୍ରୁତିକୁ ୭ ଦିନ ବିତିଯାଇଥିଲେ ମଧ୍ୟ ନଳକୂପ ଖୋଳା ନ ଯିବାରୁ ଗ୍ରାମବାସୀ ପୁଣି ରାସ୍ତାରୋକୋ କରିଥିଲେ। ଫଳରେ ପ୍ରାୟ ଅଧଘଣ୍ଟା ଗାଡ଼ି ଚଳାଚଳ ବାଧା ପାଇଥିଲା। ବିଭାଗୀୟ ଯନ୍ତ୍ରୀ ସେଠାରେ ପହଞ୍ଚତ୍ ରାତିସୁଦ୍ଧା ଗାଁରେ ନଳକୂପ ଖୋଲାଯିବା ନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଛି।

Share