ବାଇପାସ୍‌ ରାସ୍ତା ନିର୍ମାଣ ନେଇ ରାଜ୍ୟ ସଭା ଏମ୍‌ପିଙ୍କୁ ଦାବିପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି

କେସିଙ୍ଗା,୨୩ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାରେ ବାଇପାସ ଦାବି ନେଇ ଧିରେ ଧିରେ ବଢୁଛି ଜନସମର୍ଥନ। ଲୋକେ ନିର୍ମାଣାଧୀନ ଆରଓବି ଜାତୀୟ ରାଜପଥ ସହ ସଂଯୋଗକୁ ନେଇ ଖୋଲାଖୋଲି ବିରୋଧ ଆରମ୍ଭ କରିଛନ୍ତି। ଏନେଇ କେସିଙ୍ଗା ବାଇପାସ୍‌ କ୍ରିୟାନୁଷ୍ଠାନ କମିଟିର ଆବାହକ ସୁରେଶ ରାଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓ ନିର୍ମାଣାଧୀନ ଆରଓବି କେସିଙ୍ଗା ସହରରୁ ପ୍ରବେଶ କରି କେସିଙ୍ଗା ସହରର ମଧ୍ୟ ଭାଗ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖରେ ଜାତୀୟ ରାଜପଥରେ ସଂଯୋଗ ହେଲା ଭଳି ରାଜପଥ ବିଭାଗ ତରଫରୁ ଯୋଜନା ରଖାଯାଇଛି। ଯଦି ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖରେ ସଂଯୋଗ ହୁଏ ତା’ହେଲେ ସ୍ଥିତି ଭୟାବହ ହେବା ସହ ଜଟିଳ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ଓ କେସିଙ୍ଗା ସହର ସଙ୍କୁଚିତ ହେବା ସଙ୍ଗେ ସଙ୍ଗେ ପ୍ରଗତିରେ ବାଧା ସୃଷ୍ଟି କରିବ ବୋଲି ବାଇପାସ୍‌ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ତାଙ୍କୁ ଅବଗତ କରାଯାଇଥିଲା। ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ୩୨୬ କୋଟି ଭଳି ଏକ ବୃହତ ପ୍ରକଳ୍ପ ଦ୍ୱାରା ଯଦି ଲୋକଙ୍କ ଅସୁବିଧା ହେଉଛି ତା’ହେଲେ ଏହାର ସମୀକ୍ଷା ହେବା ଆବଶ୍ୟକ ରହିଛି। ମୁଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ଏହି ପ୍ରକଳ୍ପ ଦ୍ୱାରା ଲୋକେ କେତେ ଲାଭନୱିତ ହେଉଛନ୍ତି ସେଥିପାଇଁ ଏକ ଟେକ୍ନିକାଲ ଦଳ ଓ ରୋଡ଼ ସେଫ୍ଟି ବିଭାଗ ଦ୍ୱାରା ଲୋକଙ୍କ ସହ ଆଲୋଚନା ପରେ କାର୍ଯ୍ୟ ତ୍ୱରାନ୍ବିତ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ତେବେ ବାଇପାସ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଗ୍ରାମସଭା ହୋଇଛି ଏବଂ ଗ୍ରାମସଭାରେ କୁର୍ଲୁପଡା ଛକଠାରୁ ଯୋଲକୋ ପର୍ଯ୍ୟନ୍ତ ସହର ଦୂରରେ ତେଲନଦୀ ପାଖାପାଖି ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା କିନ୍ତୁ କିଛି ବଡ଼ ବଡକିଆ ଙ୍କ ପାଇଁ ରାତାରାତି ପ୍ଲାନକୁ ପରିବର୍ତ୍ତନ କରି ସହର ଭିତରୁ ପ୍ରବେଶ କରି ସହର ମଧ୍ୟବର୍ତ୍ତୀ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖରେ ସଂଯୋଗ କରିବା ଦୁର୍ଭାଗ୍ୟଜନକ ବୋଲି ତାଙ୍କୁ ଅବଗତ କରାଯାଇଥିଲା। ଏହା ଦ୍ୱାରା କେସିଙ୍ଗା ସହର ବାଧାପ୍ରାପ୍ତ ହେବ ଓ ଜନବସତିରେ ନିଶ୍ଚୟ ଅସୁବିଧା ସୃଷ୍ଟି କରିବ ଯଦି କେସିଙ୍ଗା ସହରରୁ ତେଲନଦୀ ପାଖାପାଖି ବାଇପାସ ନିର୍ମାଣ ହେଲେ କେସିଙ୍ଗା ସହରର ବ୍ୟବସାୟ ଓ ଜନ ବସତି ବଢ଼ିବ ମୁଁ ଚେଷ୍ଟା କରିବି ଟେକ୍ନିକାଲ ଟିମ୍‌ ଓ ରୋଡ୍‌ ସେଫଟି ବିଭାଗ ନ ଆସିବାଯାଏ ନିର୍ମାଣାଧୀନ ଆରଓବି କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ମୁଁ ପ୍ରସ୍ତାବ ରଖିବି ବୋଲି ରାଜ୍ୟ ସଭା ଏମ୍‌ପି ପ୍ରକାଶ କରିଥିଲେ। ଏହି ସାକ୍ଷାତକାରରେ କେସିଙ୍ଗା ବାଇପାସ୍‌ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ମହେନ୍ଦ୍ର ନାଏକ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ଜଗମୋହନ ସାହୁ, ଦେବେନ୍ଦ୍ର ଭୁଜବଳ, ଉମେଶ ନାୟକ, ଦୟାନିଧି ସୁନାନୀ, ନିତ୍ୟାନନ୍ଦ ସାହୁ,ରାମ ସାହା, ସୁରେନ୍ଦ୍ର ଭୋଇ ପ୍ରମୁଖଙ୍କ ସହ କ୍ରିୟାନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।