ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖଇରପଙ୍କ ଗ୍ରାମର ବି. ହରି କନ୍ୟାରିଙ୍କୁ ମଙ୍ଗଳବାର କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ କରି ସାରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୪୩/୨୫ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତ ହରି ସୋମବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ କେ.ନୂଆଗାଁ ରେ ରହୁଥିବା ତାଙ୍କ ଶାଶୁ ଶଶୀ କନ୍ୟାରିଙ୍କ ଘରେ ପହଞ୍ଚି କବାଟ ବାଡାଇଥିଲେ। ଶଶୀ ତାଙ୍କ ଝିଅ ଓ ବୋହୂଙ୍କ ସହ ଘରେ ଶୋଇଥିଲେ। ପାଟି ଶୁଣି କବାଟ ଖୋଲିବାରୁ ଜ୍ୱାଇଁ ତାଙ୍କୁ ଆପତ୍ତିଜନକ ଭାବେ ଗାଳିଗୁଲଜ କରିଥିଲେ। ଏପରିକି ଯେତେ କେସ୍ କଲେ ବି ତାଙ୍କର କିଛି ହେବ ନାହିଁ। ସେ ତାଙ୍କ ଝିଅ ଏବଂ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ସେ ଶାଶୁଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ କରିଥିଲେ। ପାଟି ଶୁଣି ସାହି ପଡୋଶୀ ଆସିବାରୁ ସେ ସେଠାରୁ ପଳାଇଥିଲେ। ଏନେଇ ଶଶୀ କେ.ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଫାଣ୍ଡି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କେ.ନୂଆଗାଁ ଗ୍ରାମର ସ୍ବର୍ଗତ କୁତୁଲି କନ୍ୟାରିଙ୍କ କନ୍ୟା ଆଦି କନ୍ୟାରିଙ୍କୁ ପ୍ରାୟ ୧୫ ବର୍ଷ ପୂର୍ବେ ହରି ବିବାହ କରିଥିଲେ। ସ୍ତ୍ରୀ ଆଦିଙ୍କୁ ହରି ସଦାସର୍ବଦା ମାଡ଼ ମାରି ଯୌତୁକ ନିର୍ଯାତନା ଦେବାରୁ ସେ ଗତ ମାର୍ଚ୍ଚ ୩୦ ତାରିଖରେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରାଯାଇ ଥାନା ମାମଲା ନଂ.୧୦୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀ ଏସ. ଆଇ କହିଛନ୍ତି।
Dharitri – Odisha’s No.1 Trusted Odia Daily