ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କନ୍ଧ ନୂଆଁପଲ୍ଲୀ ଗ୍ରାମରେ ୨୦୨୩ରେ ନିଆଁ ଲଗାଇବା ଅଭିଯୋଗରେ ଅଭିଯୁକ୍ତ କାର୍ତ୍ତିକ ସାହୁଙ୍କୁ ଭଞ୍ଜନଗର ସହକାରୀ ଦୌରା ଜଜ ଦେବାଶିଷ ବିଷୋୟୀ ବୁଧବାର ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ ବୋଲି ବିଚାରପତି ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, କାର୍ତ୍ତିକ ୨୦୨୩ରେ ତାଙ୍କ ଗ୍ରାମର ଭଗବାନ ଗୌଡ଼ଙ୍କ ଘରେ ପୂର୍ବ ଶତ୍ରୁତାରୁ ନିଆଁ ଲଗାଇ ଦେଇଥିଲେ। ଫଳରେ ଭଗବାନଙ୍କ ଗୋଟିଏ ବଖରା ଘର ସହ ଗାଈ ଗୁହାଳରେ ଥିବା ଦୁଇଟି ବଳଦ ମଧ୍ୟ ପୋଡ଼ି ମୃତ୍ୟୁବରଣ କରିଥିଲେ। ଏଥିସହ ଭଗବାନଙ୍କ ଘରକୁ ଲାଗିଥିବା ଆଉ ଦୁଇ ଜଣଙ୍କ ଦୁଇ ବଖରା ଘର ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିଲା। ଏନେଇ ଭଗବାନ ସେ ସମୟରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ତ୍ତିକଙ୍କୁ ଗିରଫ କରିଥିଲା। ଆଜି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିବାକର ନାୟକ ଏବଂ ମୁଦଲାଙ୍କ ପକ୍ଷରୁ ଲକ୍ଷ୍ମୀକାନ୍ତ ମହାପାତ୍ର ମୋକଦ୍ଦମା ପରିଚାଳନା କରୁଥିଲେ।