ସର୍ବକନିଷ୍ଠ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ, ୨୨ା୭:ଓଡ଼ିଶାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରୁ ରାଇସିନା ହିଲ୍‌ ଯାତ୍ରା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସହଜ ନ ଥିଲା। କାଉନସିଲରରୁ ପୌରାଧ୍ୟକ୍ଷା, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ହେବା ପରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ ଦ୍ରୌପଦୀ। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ଥାନରେ ପଞ୍ଚଦଶ ରାଷ୍ଟ୍ରମୁଖ୍ୟ ଭାବେ ସୋମବାର ସେ ଶପଥ ନେବେ। ଏହି ୬୪ ବର୍ଷୀୟା ଧର୍ମପରାୟଣା ମହିଳା ଦେଶର ସର୍ବକନିଷ୍ଠ ତଥା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି।
ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଭାରତ ଇତିହାସ ରଚିଛି। ୧୩୦ କୋଟି ଭାରତୀୟ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବାବେଳେ ପୂର୍ବ ଭାରତର ଆଦିବାସୀ ସମୁଦାୟର ଜଣେ ଝିଅ ଆମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ଆମ ନାଗରିକ ବିଶେଷକରି ବଞ୍ଚିତ ଓ ପଛୁଆବର୍ଗର ଲୋକଙ୍କ ପାଇଁ ଆଶାର କିରଣ ଭଳି ଉଭା ହୋଇଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ଦ୍ରୌପଦୀ ନିଃସ୍ବାର୍ଥପର ଭାବେ ଦେଶସେବାରେ ନିଜକୁ ଉତ୍ସର୍ଗ କରି ସଂଘର୍ଷ କରିବା ଏବଂ ସଫଳତା ଶୀର୍ଷକୁ ଛୁଇଁବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମତରେ ଦ୍ରୌପଦୀଙ୍କ ବିଜୟ ଭାରତୀୟ ଗଣତନ୍ତ୍ରର ଦୃଢ଼ତାକୁ ପ୍ରତିପାଦିତ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଛନ୍ତି, ଆଦିବାସୀ ପୃଷ୍ଠଭୂମିରୁ ଆସି ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ଦେଶପାଇଁ
ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ। ଦ୍ରୌପଦୀଙ୍କ ପ୍ରଶାସନିକ ତଥା ସାମାଜିକ କ୍ଷେତ୍ରରେ ଅଭିଜ୍ଞତା ଏବଂ ସାମର୍ଥ୍ୟରୁ ଦେଶ ଲାଭାନ୍ବିତ ହେବ।