ସାକ୍ଷୀଗୋପାଳ,୧୨।୮(କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ): ପୁରାତନ ବନ ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚବିଦ୍ୟାଳୟର ୧୧୬ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟୁ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ସତୀର୍ଥମାନଙ୍କ ପ୍ରତିମୂର୍ତ୍ତି ଓ ଗୋପନ୍ଧୁଙ୍କ ଶେଷନିଶ୍ବାସ ତ୍ୟାଗ ସ୍ଥଳରେ ମାଲ୍ୟାର୍ପଣ କରି ଅତିଥିମାନେ ପ୍ରଥମେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତତ୍କାଳୀନ ଓଡିଶାରେ ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର ବୋଲି ଚିନ୍ତାକରି ସାକ୍ଷୀଗୋପାଳ ମନ୍ଦିର ପଶ୍ଚାତ ଭାଗରେ ଗଢି ଉଠିଥିବା ବନବିଦ୍ୟାଳୟ ପରାଧିନ ଭାରତରେ ଗୁରୁକୂଳ ଶିକ୍ଷାର ଏନ୍ତୁଡିଶାଳ ସାଜିଥିଲା ବୋଲି ମୁଖ୍ୟ ଅତିଥି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ କର ମତ୍ୟକ୍ତ କରିଥିଲେ। ବନବିଦ୍ୟାଳୟ ଛାତ୍ରମାନଙ୍କୁ ଶିକ୍ଷା, ସଂସ୍କାର ସହିତ ଭଲମଣିଷ ଭାବରେ ତିଆରି କରାଯାଉଥିଲା ବୋଲି ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ପ୍ରଭାତ କୁମାର ରଥ କହିଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ବେହେରା, ବିଜୟ କୁମାର ପରିଡ଼ା, ସତ୍ୟବାଦୀ ଦାସ ଓ ପରିଚାଳନା କମିଟି ସଭାପତି ଚକ୍ରଧର ମହାରଣା ପ୍ରମୁଖ ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଅତୀତ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଶ୍ରେଣୀ କକ୍ଷ ଓ ଐତିହ୍ୟ ସ୍ମାରକୀପୀଠର ଜରାଜୀର୍ଣ୍ଣ ଅବସ୍ଥା ନେଇ କ୍ଷୋଭ ପ୍ରକାଶ କରିଥଲେ। ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସେନାପତି ସଭାପତିତ୍ୱ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗୀତା ରେ କୃତି ଛାତ୍ରୀଛାତ୍ର ମନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ପ୍ରମ୍ଭିକ ସୂଚନା ଓ ସୱାଗତ ଭାଷଣ ଶିକ୍ଷୟତ୍ରୀ ପ୍ରତୀକ୍ଷା ମିଶ୍ର ଓ ବୈଜୟନ୍ତୀ ମିଶ୍ର ଧନ୍ୟବାଦ ଦେଇଥିଲେ ।